ସମ୍ବଲପୁର: ଲାଞ୍ଚ ନେଉଥିବାବେଳେ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟଙ୍କୁ ଧରିଛି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ । ସେ ହେଲେ ବରଗଡ଼ ଜିଲ୍ଲା ବରପାଲି ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ୍ ରଜନୀକାନ୍ତ କର । ଭିଜିଲାନ୍ସ ଟିମ୍ ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ୬୦୦୦ ହଜାର ନଗଦ ରାଶି ଜବତ କରିଛି ।
ଜଣେ ବ୍ୟକ୍ତି ତାଙ୍କର ବକେୟା ଦରମା ଉଠାଇବାକୁ ବରବାଲି ବିଇଓ କାର୍ଯ୍ୟାଳୟକୁ ଆସିଥିଲେ । ମାତ୍ର ଟଙ୍କା ଉଠାଣ ପାଇଁ ଯେଉଁ ପ୍ରକ୍ରିୟା ଆବଶ୍ୟକ କନିଷ୍ଠ କିରାଣୀ ରଜନୀକାନ୍ତ କର ତାହା କରୁନଥିଲେ । ଏହା ପରିବର୍ତ୍ତେ ତାଙ୍କୁ ୬୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଉକ୍ତ ବ୍ୟକ୍ତି ଜଣକ ଏ ନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଏହା ପରେ ଭିଜିଲାନ୍ସ ଅଧିକାରୀଙ୍କ ଆକାଉଣ୍ଟାଣ୍ଟଙ୍କୁ ଧରିବାକୁ ଜାଲ ବିଛାଇଥିଲେ ।
ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ଆଜି ଲାଞ୍ଚ ଦେଉଥିବାବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀ ଆକାଣ୍ଟାଣ୍ଟ୍ ଶ୍ରୀ କରଙ୍କୁ ମାଡ଼ି ବସିଥିଲେ । ତାଙ୍କ ନିକଟରୁ ଉକ୍ତ ଟଙ୍କା ଜବତ କରାଯାଇଛି । ତାଙ୍କର ଦୁଇଟି ଠିକଣାରେ ଚଢ଼ଉ କରାଯାଉଛି । ତାଙ୍କ ବିରୁଦ୍ଧରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି ।