ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବନ୍ଦାୟୁରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ପ୍ଲାଣ୍ଟ ଭିତରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡ ହୋଇଛି । ଏଚପି ଇଥାନଲ୍ ପ୍ଲାଣ୍ଟର ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ଗୁପ୍ତା ଏବଂ ସହ ପରିଚାଳନା ନିର୍ଦ୍ଦେଶକ ହର୍ଷିତ ମିଶ୍ରାଙ୍କ ଉପରେ ଗୁଳି ମାଡ଼ ହୋଇଛି । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି । ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି । ସେ ହେଲେ ସହଜନୀ ଗ୍ରାମର ବାସିନ୍ଦା ଅଜୟ ପ୍ରତାପ ସିଂହ ଓରଫ୍ ରାମୁ । ସେ ପ୍ଲାଣ୍ଟରେ ଭେଣ୍ଡରେ ଭାବେ କାମ କରୁଥିଲା ।
ଗୁରୁବାର ଅପରାହ୍ନ ସାଢ଼େ ଗୋଟାଏ ସମୟରେ ଅଭିଯୁକ୍ତ ଅଜୟ ହାତରେ ବନ୍ଧୁକ ଧରି ଏଚପିସିଏଲ୍ ପ୍ଲାଣ୍ଟକୁ ପଶି ଥିଲା । ସେ ସିଧାସଳଖ ଜେନେରାଲ ମ୍ୟାନେଜର ସୁଧୀର ଗୁପ୍ତାଙ୍କ ଚ୍ୟାମ୍ବର ଭିତରକୁ ଯାଇଥିଲା । ସେଠାରେ ପହଁଚିବା ପରେ ତୁରନ୍ତ ଜିଏମଙ୍କ ଉପରେ ଗୁଳି କରିଥିଲା । ଗୁଳି ଶବ୍ଧ ଶୁଣି ଏଜିଏମ୍ ହର୍ଷିତ ମିଶ୍ରା ପହଁଚି ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ ଉପରେ ମଧ୍ୟ ଗୁଳି କରିଥିଲା । ସେଠାରେ ଥିବା ଅନ୍ୟ କର୍ମଚାରୀମାନେ ତୁରନ୍ତ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇଁ ଦାତାଗଞ୍ଜ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଯାଞ୍ଚ ଆରମ୍ଭ କରିଛି । ତେବେ ଘଟଣା ପରେ ପ୍ଲାଣ୍ଟର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ଅଭିଯୁକ୍ତ ହାତରେ ହତିଆର ଧରି କେମିତି ପ୍ଲାଣ୍ଟ ଭିତରକୁ ପ୍ରବେଶ କଲା ବୋଲି ପ୍ରଶ୍ନ ଉଠିଛି ।
ସେପଟେ ଜିଲ୍ଲା ଅଧିକାରୀ ଅବନୀଶ ରାୟଙ୍କ ସୂଚନା ଅନୁସାରେ, ସହଜନୀ ଗ୍ରାମର ଅଜୟ ପ୍ରତାପ ସିଂହ ଇଥାନଲ୍ ପ୍ଲାଣ୍ଟରେ ଭେଣ୍ଡର୍ ହିସାବରେ କାମ କରୁଥିଲା । କାର୍ଯ୍ୟରେ ଅବହେଳା ପାଇଁ ଜିଏମ୍ ସୁଧୀର କୁମାର ଗୁପ୍ତା କର୍ମଚାରୀଙ୍କ ଛଟେଇ କରିଥିଲେ । ଯେଉଁଥିରେ ଅଜୟ ସିଂହର ନାମ ସାମିଲ ଥିଲା । ଚାକିରୀ ଯିବା ପରେ ଅଜୟ କ୍ରୋଧିତ ହୋଇ ବାରମ୍ବାର ଜିଏମ ଗୁପ୍ତାଙ୍କୁ ବାରମ୍ବାର ଧମକ ଚମକ ଦେଉଥିଲା । ଏ ନେଇ ସୁଧୀର ଗୁପ୍ତା ଜିଲ୍ଲା ଅଧିକାରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଅଜୟ ନାମରେ କୋତବାଲୀ ଦାତାଗଞ୍ଜ ଥାନାରେ ମାମଲା ରୁଜୁ କରାଯାଇଥିଲା । ଏହି ରାଗରେ ସେ ହତ୍ୟା କରିଥିବା ଅନୁମାନ କରାଯାଉଛି ।