ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜେଏମଏଫସି କୋର୍ଟ ସମ୍ମୁଖରେ ଗଡ଼ିଛି ମୁଣ୍ଡ । ଗୁରୁବାର ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ବୁଦୁଲି ଗ୍ରାମର ରାମନାଥ ସ୍ୱାଇଁଙ୍କ ପୁଅ ଅଶୋକ କୁମାର ସ୍ୱାଇଁ (୪୪) ।
ଆଜି ଅଶୋକ କୁମାର ସ୍ୱାଇଁ କୌଣସି କାମରେ ଭଞ୍ଜନଗର ଜେଏମଏଫସି କୋର୍ଟକୁ ଆସିଥିଲା । କାମ ସାରି କୋର୍ଟରୁ ବାହାରିବା ସମୟରେ ହଠାତ୍ ଜଣେ ତାଙ୍କ ଉପରକୁ ଟାଙ୍କିଆରେ ଆକ୍ରମଣ କରିଥିଲେ । ଅଶୋକଙ୍କ ମୁଣ୍ଡ ଓ ଦୁଇ ହାତରେ ଗଭୀର ଆଘାତ ଲାଗିଥିଲା। ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଏହା ସହିତ ଅଭିଯୁକ୍ତକୁ କାବୁ କରି ପୋଲିସ ଜିମା ଦେଇଥିଲେ ।
ପୋଲିସ ଘଟଣା ସ୍ଥଳରେ ପହଁଚି ଅଶୋକଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲା । ମାତ୍ର ସେତେବେଳକୁ ସବୁ କିଛି ସରିଯାଇଥିଲା । ଡାକ୍ତର ଅଶୋକଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଉକ୍ତ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ ପଠାଇ ଦେଇଛି । ବ୍ୟକ୍ତି ଜଣକ କାହିଁକି ତାକୁ ଆକ୍ରମଣ କଲେ ସେ ନେଇ କିଛି ସ୍ପଷ୍ଟ ହୋଇନଥିବାବେଳେ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କୋର୍ଟ ସମ୍ମୁଖରେ ଏଭଳି ବିଭତ୍ସ ହତ୍ୟାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟରେ ବାତାବରଣ ଖେଳି ଯାଇଛି ।