ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନା ଏବଂ ବିଚାର ବିମର୍ଶର ଅନ୍ତ ଘଟିଛି । ଶେଷ ହୋଇଛି ରାଜ୍ୟସଭା ମହାଲଢ଼େଇ । ନିର୍ବାଚନ ଫଳାଫଳ ଆସିଯାଇଛି । ମଇଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ମଧ୍ୟର ୪ ଜଣ ବିଜୟ ଟୀକା ପିନ୍ଧିଛନ୍ତି । ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ଏବଂ ବିଜେଡ଼ି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଛନ୍ତି । ସେପଟେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ସମସ୍ତଙ୍କୁ ଚକମା ଦେଇ ବିଜେଡ଼ି-କଂଗ୍ରେସ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ହରାଇ ସର୍ବାଧିକ ଭୋଟ୍ ପାଇଁ ବାଜିମାତ କରିନେଇଛନ୍ତି । ତେବେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା ହୋଇନାହିଁ ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ପ୍ରାଥମିକ ପର୍ଯ୍ୟାୟ ଗଣତିରେ ମନମୋହନ ସାମଲଙ୍କୁ ୨୯୪୧, ସୁଜିତ କୁମାରଙ୍କୁ ୨୯୪୧ ଓ ସଂତୃପ୍ତ ମିଶ୍ର ୩୧୦୦ ଭୋଟ୍ ମିଳିଛି । ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସର୍ବନିମ୍ନ ୨୩୦୦ ଭୋଟ୍ ମିଳିଥିବାବେଳେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସର୍ବାଧିକ ୩୪୧୮ ଭୋଟ୍ ମିଳିଛି ।
ଯଦି ସଦସ୍ୟଙ୍କ ମତଦାନକୁ ବିଚାରକୁ ନିଆଯାଏ ତେବେ ୧୧ଟି କ୍ରସ୍ ଭୋଟିଂ ହୋଇଥିବା ସୁନିଶ୍ଚିତ ହୋଇଛି । ମନମୋହନ ସାମଲ ଓ ସୁଜିତଙ୍କ ସପକ୍ଷରେ ୩୫ ଲେଖାଏଁ, ସଂତୃପ୍ତ ମିଶ୍ରଙ୍କୁ ୩୧, ଦିଲ୍ଲୀପ ଏବଂ ଦତ୍ତେଶ୍ୱରଙ୍କ ସପକ୍ଷରେ ୨୩ ଖଣ୍ଡ ଲେଖାଏ ଭୋଟ୍ ପଡ଼ିଛି । ତେଣୁ ଆଉ ୧୧ଟି ଭୋଟ୍ କ୍ରସ୍ ଭୋଟିଂ ହୋଇଥିବା ଆକଳନ କରାଯାଉଛି । ଯାହା ଦିଲ୍ଲୀପ ରାୟଙ୍କ ସପକ୍ଷରେ ଯାଇଛି । ବିଜେଡ଼ିରୁ ୮ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ପ୍ରତାପ ଦେବ ସ୍ପଷ୍ଟ କରିଛନ୍ତି । ସେମାନେ ହେଲେ ସେହିପରି ବିଜେଡ଼ିର ଚକ୍ରମଣି କହଁର, ସୌଭିକ ବିଶ୍ବାଳ, ନବ କିଶୋର ମଲ୍ଲିକ, ସୁବାସିନୀ ଜେନା, ଦେବୀ ରଂଜନ ତ୍ରିପାଠୀ, ରମାକାନ୍ତ ଭୋଇ, ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର । ସେହିପରି କଂଗ୍ରେସରୁ ତିନି ଜଣ ବିଧାୟକ ରମେଶ ଜେନା, ଦାଶରଥୀ ଗୋମାଙ୍ଗୋ ଏବଂ ସୋଫିଆ ଫିର୍ଦ୍ଦୋସ କ୍ରସ ଭୋଟିଂ କରିଥିବା ପିସିସି ସଭାପତି ସ୍ପଷ୍ଟ କରିଛନ୍ତି ।