ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ପୂରା ଦୁନିଆରେ ଶାନ୍ତି ଭଙ୍ଗ ହୋଇଛି । ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ଇରାନ ଉପରେ ଏବେ ବି ଇସ୍ରାଏଲ ଓ ଆମେରିକାର ହମଲା ଜାରି ରହିଛି । ଅନ୍ୟପଟେ ଇରାନ ମଧ୍ୟ ମଧ୍ୟପ୍ରାଚ୍ୟ ଦେଶଗୁଡିକରେ ଥିବା ଆମେରିକାର ସୈନ୍ୟ ବେସ ଉପରେ ଆକ୍ରମଣ କରି ଚାଲିଛି । ଅନ୍ୟପଟେ ହର୍ମୁଜ ପ୍ରଣାଳୀ ଠପ୍ ପଡିଛି । ଏସବୁ ମଧ୍ୟରେ ଏକ ଦେଶ ଶାନ୍ତି ସ୍ଥାପନ ପାଇଁ ଭାରତ ଉପରେ ଭରସା ପ୍ରକାଶ କରିଛନ୍ତି ।
ଫିନଲାଣ୍ଡର ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟବ ଏକ ସାକ୍ଷାତକାରରେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ତୁରନ୍ତ ଅସ୍ତ୍ରବିରତିର ଆବଶ୍ୟକତା ରହିଛି । ଭାରତ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରିବ । ସେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସଦ୍ୟତମ ବୟାନ ଉଲ୍ଲେଖ କରି କହିଛନ୍ତି ଯେ, ଭାରତ ପୂର୍ବରୁ ମଧ୍ୟ ଉତ୍ତେଜନା ହ୍ରାସ କରିବା କଥା କହି ଆସିଛି । ଏଥିପାଇଁ ଶାନ୍ତି ସ୍ଥାପନ ପାଇଁ ଭାରତ ହିଁ ସାହାଯ୍ୟ କରି ପାରିବ ।
କୂଟନୈତିକ ସାହାରା ନେଲା ଭାରତ
ଷ୍ଟବଙ୍କ ଏହି ବୟାନ ଏମିତି ସମୟରେ ଆସିଛି, ଯେତେବେଳେ ଯୁଦ୍ଧ ମଧ୍ୟରେ ଭାରତ ସଂଯମତା ସହ କୂଟନୈତିକ ସାହାରା ନେଇଛି । ଭାରତ ଇରାନ ସହିତ କୂଟନୈତିକ ସଂପର୍କ ବଜାୟ ରଖିଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଅରାଘଚୀଙ୍କ ଅନେକ ଥର ଫୋନରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇରାନର ରାଷ୍ଟ୍ରପତି ମସୁଦ ପେଜେଶକିୟନଙ୍କ ସହ ଆଲୋଚନା କରିଛନ୍ତି ।
ଉପସାଗରୀୟ ଦେଶଗୁଡିକ ସହ ଆଲୋଚନା
ଅନ୍ୟପଟେ ଭାରତ ଉପସାଗରୀୟ ଦେଶଗୁଡିକ ସହିତ ମଧ୍ୟ ଯୋଗାଯୋଗ କରିଛି । ସେଠାକାର ନାଗରିକଙ୍କ ମୃତ୍ୟୁ ଉପରେ ଚିନ୍ତା ବ୍ୟକ୍ତ କରିଛି । ଉତ୍ତେଜନା ମଧ୍ୟରେ ଭାରତ ନିଜର ଉର୍ଜା ଓ କାରବାର ହିତକୁ ମଧ୍ୟ ସୁରକ୍ଷିତ ରଖିବାକୁ ଉଦ୍ୟମ କରିଛି । ହର୍ମୁଜ ଜଳଡମରୁମଧ୍ୟରେ କଟକଣା ସତ୍ତ୍ୱେ ଭାରତର ପତାକା ଥିବା ଜାହାଜର ଯାତାୟତ ଜାରି ରହିଛି । ନିକଟରେ ଭାରତର ଦୁଇଟି ଜାହାଜ ଜର୍ମୁଜ ଅତିକ୍ରମ କରି ଭାରତ ପହଞ୍ଚିଛି ।
Also read: ପାକିସ୍ତାନ ଇସଲାମଫୋବିଆର କାହାଣୀ ତିଆରି କରୁଛି: ଭାରତ