ଇରାନର ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) କିଛି ସମୟ ପାଇଁ ନିଜର ଏୟାରସ୍ପେସ୍ ବନ୍ଦ କରିଦେଇଥିଲା, ଯାହାକୁ ଏବେ ପୁଣି ଖୋଲି ଦିଆଯାଇଛି। UAE ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଦେଶର ଏୟାର ଡିଫେନ୍ସ ସିଷ୍ଟମ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ବାଲିଷ୍ଟିକ୍ ମିସାଇଲ ଏବଂ ପ୍ରାୟ ୧,୬୦୦ ଡ୍ରୋନକୁ ରୋକିବାରେ ସଫଳ ହୋଇଛି। ସୁରକ୍ଷା ସ୍ଥିତିର ଯାଞ୍ଚ ପରେ ଏୟାରସ୍ପେସ୍କୁ ପୁଣି ଖୋଲାଯାଇଥିବା ଜେନେରାଲ ସିଭିଲ୍ ଏଭିଏସନ୍ ଅଥରିଟି ସୂଚନା ଦେଇଛି।
ଏବେ ପ୍ରଶ୍ନ ଉଠୁଛି ଯେ, କୌଣସି ଦେଶ କିପରି ଏୟାରସ୍ପେସ୍ ବନ୍ଦ କରେ ଏବଂ ଏହି ସମୟରେ ବିମାନଗୁଡ଼ିକର କ’ଣ ହୁଏ?
ଦେଶ କିପରି ଏୟାରସ୍ପେସ୍ ବନ୍ଦ କରେ?
ସାଧାରଣତଃ ଯୁଦ୍ଧ ବା ଉତ୍ତେଜନା, ସୁରକ୍ଷା ବିପଦ, ସାମରିକ ଅଭ୍ୟାସ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ (ଯଥା ଆଗ୍ନେୟଗିରି ଉଦ୍ଗିରଣ ବା ସାମୁଦ୍ରିକ ଝଡ଼) ସମୟରେ ଏୟାରସ୍ପେସ୍ ବନ୍ଦ କରାଯାଇଥାଏ।
• ପ୍ରକ୍ରିୟା: ଯେଉଁ ଦେଶ ଏୟାରସ୍ପେସ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଏ, ତାକୁ ପ୍ରଥମେ ସିଭିଲ୍ ଏଭିଏସନ୍ ଅଥରିଟି ଜରିଆରେ NOTAM (Notice to Air Missions) ଜାରି କରିବାକୁ ପଡ଼ିଥାଏ।
• ଏଥିରେ ବନ୍ଦ କରିବାର କାରଣ ଏବଂ ସମୟ ସୀମା ବିଷୟରେ ସୂଚନା ଦିଆଯାଏ। ଦେଶ ଚାହିଁଲେ ସମ୍ପୂର୍ଣ୍ଣ ଏୟାରସ୍ପେସ୍ କିମ୍ବା କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ଓ ଉଚ୍ଚତା ପର୍ଯ୍ୟନ୍ତ ଏହାକୁ ଆଂଶିକ ଭାବେ ବନ୍ଦ କରିପାରେ।
ପାଇଲଟମାନେ କିପରି ଜାଣନ୍ତି?
NOTAM ଜରିଆରେ ବିଶ୍ୱର ସମସ୍ତ ପାଇଲଟ୍ ଏବଂ ଏୟାରଲାଇନ୍ସକୁ ଏହି ସୂଚନା ମିଳିଥାଏ। ଏହାକୁ ଆଧାର କରି ସେମାନେ ନିଜର ରୁଟ୍ ବା ଅତିକ୍ରମ କରିବାକୁ ଥିବା ପଥ ସ୍ଥିର କରନ୍ତି।
ବିମାନ ଯାତ୍ରା ଉପରେ ଏହାର ପ୍ରଭାବ
ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ବିମାନଗୁଡ଼ିକୁ ନୂଆ ରୁଟ୍ ଦେଇଥାଏ।
• ଡାଇଭର୍ସନ: ବିମାନକୁ ଅନ୍ୟ ପଥ ଦେଇ ଯିବାକୁ ପଡ଼େ, ଯାହାଫଳରେ ଯାତ୍ରା ସମୟ ବଢ଼ିଯାଏ।
• ଖର୍ଚ୍ଚ: ଲମ୍ବା ରୁଟ୍ ଯୋଗୁଁ ଇନ୍ଧନ ଅଧିକ ଖର୍ଚ୍ଚ ହୁଏ ଏବଂ ଟିକେଟ୍ ମୂଲ୍ୟ ବୃଦ୍ଧି ପାଏ। ଅନେକ ସମୟରେ ଫ୍ଲାଇଟ୍ ମଧ୍ୟ ବାତିଲ ହୋଇଯାଏ।
ନିୟମ ଭାଙ୍ଗିଲେ କ’ଣ ହେବ କାର୍ଯ୍ୟାନୁଷ୍ଠାନ?
ଯଦି କୌଣସି ବିମାନ ବନ୍ଦ ଥିବା ଏୟାରସ୍ପେସ୍ରେ ପ୍ରବେଶ କରେ, ତେବେ ନିମ୍ନଲିଖିତ ପଦକ୍ଷେପ ନିଆଯାଏ:
1. ରେଡିଓ ସମ୍ପର୍କ: ପ୍ରଥମେ ATC ତୁରନ୍ତ ସମ୍ପର୍କ କରି ଦିଗ ବଦଳାଇବାକୁ ବା ଫେରିଯିବାକୁ ନିର୍ଦ୍ଦେଶ ଦିଏ।
2. ଫାଇଟର ଜେଟ୍: ଯଦି ବିମାନ ନିର୍ଦ୍ଦେଶ ମାନେ ନାହିଁ, ତେବେ ବାୟୁସେନା ନିଜର ଫାଇଟର ଜେଟ୍ ପଠାଇଥାଏ। ଏହି ଜେଟ୍ଗୁଡ଼ିକ ବିମାନ ପାଖରେ ଉଡ଼ି ତାକୁ 'ଭିଜୁଆଲ୍ ସିଗନାଲ୍' ଦିଅନ୍ତି ଏବଂ ନିକଟସ୍ଥ ଏୟାରପୋର୍ଟରେ ଲ୍ୟାଣ୍ଡ୍ କରିବାକୁ ବାଧ୍ୟ କରନ୍ତି।
3. ଯାଞ୍ଚ ଓ ପଚରାଉଚରା: ଲ୍ୟାଣ୍ଡ୍ କରିବା ପରେ ପାଇଲଟ୍ ଓ କ୍ର୍ୟୁ ମେମ୍ବରଙ୍କୁ ପଚରାଉଚରା କରାଯାଏ।
4. ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ: ଯଦି ବିମାନଟି ସନ୍ଦିଗ୍ଧ ବା ବିପଜ୍ଜନକ ମନେହୁଏ, ତେବେ ସୁରକ୍ଷା ଦୃଷ୍ଟିରୁ ତାକୁ ଆକାଶରେ ହିଁ ଖସାଇ ଦିଆଯାଇପାରେ।