ଭୁବନେଶ୍ୱର: କଂଗ୍ରେସ ଦଳ କାହାକୁ ବରଦାସ୍ତ କରିବ ନାହିଁ । ତିନି ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଆଗାମୀ ଦିନରେ ବହିଷ୍କାର ମଧ୍ୟ କରାଯିବ । ଏଭଳି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।
ଭକ୍ତ ଦାସ ଦଳୀୟ ନେତାଙ୍କ ପ୍ରତି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା କରିଛନ୍ତି । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ଗଞ୍ଜାମ ଜିଲ୍ଲା ସଭାପତି ଏବଂ ମୋହନା ବିଧାୟକ ଦାଶରଥୀ ଗମାଙ୍ଗୋଙ୍କୁ ମଧ୍ୟ ସଭାପତି କରାଯାଇଛି । ଟିକେଟ୍ ପାଇ ନିର୍ବାଚନ ଲଢ଼ିଛନ୍ତି । କିନ୍ତୁ ସେମାନେ ଏବେ ତାଙ୍କର ରଙ୍ଗ ଦେଖାଇଛନ୍ତି । ସେହିପରି ସୋଫିଆଙ୍କ ଉପରେ ଭକ୍ତ ବର୍ଷିଛନ୍ତି । ସୋଫିଆ କଟକ ସହରର ସମ୍ମାନ ତଳେ ପକାଇ ଦେଇଛନ୍ତି । ଯଦି ସେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥାଆନ୍ତେ ତାହା ହେଲେ ସମ୍ମାନ ବଢ଼ିଯାଇଥାଆନ୍ତା । ତାଙ୍କର ସବୁ ସର୍ତ୍ତ ମାନିବାକୁ ପ୍ରସ୍ତୁତ ଥିଲୁ । ତାଙ୍କ ବାପାଙ୍କ ଉପରେ ନିଲମ୍ବନ ଆଦେଶ ପ୍ରତ୍ୟାହାର ମଧ୍ୟ କରି ଦିଆଯିବ ବୋଲି ସର୍ତ୍ତ ରଖାଯାଇଥିଲା । ତଥାପି ସେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଷ୍ପତ୍ତି ନେଲେ ନାହିଁ । ତେଣୁ କଂଗ୍ରେସ କାହାକୁ ବରଦାସ୍ତ କରିବ ନାହିଁ । ସମସ୍ତଙ୍କୁ ନିଲମ୍ବିତ କରାଯାଇଛି । ସଦସ୍ୟତା ପଦ ରଦ୍ଦ କରିବାକୁ ମଧ୍ୟ ରାସ୍ତା ସଫା ଅଛି ବୋଲି ଭକ୍ତ ଚେତାବନୀ ଦେଇଛନ୍ତି ।
ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି ଏସସିବି ମେଡ଼ିକାଲ ପରିଦର୍ଶନ କରିଛନ୍ତି । ନିୟମିତ ତଦାରଖ ଓ ତତ୍ୱାବଧାନର ଅଭାବ ଯୋଗୁଁ ଏଭଳି ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି । ସମସ୍ତ ସ୍ତରରେ ନିୟମିତ ବ୍ୟବଧାନରେ ତଦାରଖ ହେବା ଉଚିତ । ଉଭୟ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ତଦାରଖ କରିବା ଆବଶ୍ୟକ । ସମସ୍ତେ ନିଜ କର୍ତ୍ତବ୍ୟରେ ଅବହେଳା କରିଛନ୍ତି । ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।