ଚଣ୍ଡୀଗଡ଼ ; ପଞ୍ଜାବ ୟୁନିଭରସିଟିରେ ଅନୁଷ୍ଠିତ ହୋଇଥିବା ଅଲ ଇଣ୍ଡିଆ ଇଣ୍ଟର ୟୁନିଭରସିଟି ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ପ୍ରତିଯୋଗୀତାରେ କମାଲ କଲେ ରୀତିକା ଦାସ। ବାଲାସିଂଗ ବିମରେ ୧୦.୨୦୦ ପଏଣ୍ଟ ରଖି ରୋପ୍ୟ ପଦକ ଏବଂ ୧୯୬. ୬୦୦ ପଏଣ୍ଟରେ ଦଳଗତ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ରୀତିକା। ତାଙ୍କର ଏହି ସଫଳତା ପାଇଁ ଓଡ଼ିଶା ଜିମ୍ନାଷ୍ଟିକ ଆସୋସିଏସନର ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ ଏବଂ ତାଙ୍କ କର୍ମକର୍ତ୍ତାମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହାସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଠାକୁରଙ୍କ ପାଖରେ ପୂଜାର୍ଚନା ମଧ୍ୟ କରିଥିଲେ।
ସୂଚନା ଅନୁସାରେ, ରୀତିକା ମାତ୍ର ୬ ବର୍ଷ ବୟସରୁ ଜେଏମ ସ୍ପୋର୍ଟସ ଏକାଡେମୀରେ ଜିମ୍ନାଷ୍ଟିକ ପ୍ରଶିକ୍ଷଣ ନେଉଛନ୍ତି। ପିଲାଦିନରୁ ତାଙ୍କର ଅଲ ଇଣ୍ଡିଆ ଇଣ୍ଟର ୟୁନିଭରସିଟି ଆର୍ଟିଷ୍ଟିକ ଜିମ୍ନାଷ୍ଟିକରେ ସ୍ଵର୍ଣ ପଦକ ପାଇବା ସ୍ବପ୍ନ ଥିଲା। ତେଣୁ ସେ ନିଜ ଲକ୍ଷ ପୂରଣ ପାଇଁ ଅହରହ ପରିଶ୍ରମ କରିଥିଲେ। ଆଉ ଶେଷରେ ତାଙ୍କ ସ୍ୱପ୍ନା ସାକାର ହେଲା। ଚଳିତ ବର୍ଷ ପଞ୍ଜାବ ୟୁନିଭରସିଟିରେ ଆୟୋଜିତ ଅଲ ଇଣ୍ଡିଆ ଇଣ୍ଟର ୟୁନିଭରସିଟି ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ପ୍ରତିଯୋଗୀତାରେ ସେ ଉଭୟ ରୌପ୍ୟ ଏବଂ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତେବେ ତାଙ୍କର ଏହି ସଫଳତା ପରେ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି।