ନୂଆଦିଲ୍ଲୀ: IPL 2025 ରେ ସନରାଇଜର୍ସ ହାଇଦ୍ରାବାଦର ପ୍ରଦର୍ଶନ ନିରାଶାଜନକ ଥିଲା। ହେଲେ ଗତ ଥରର ଖରାପ ପ୍ରଦର୍ଶନକୁ ଭୁଲି ଏସଆରଏଚ ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍ ଜିତି ଏକ ନୂତନ ଆରମ୍ଭ କରିବାକୁ ଚେଷ୍ଟା କରିବ। ହାଇଦ୍ରାବାଦ ସିଜିନର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଏହା ପୂର୍ବରୁ ୨୦୧୬ର ଚାମ୍ପିଅନ ଦଳ ପାଇଁ ରହିଛି ବେଡ୍ ନ୍ୟୁଜ୍। ଅଧିନାୟକ ପ୍ୟାଟ୍ କମିନ୍ସ ପ୍ରଥମ କିଛି ମ୍ୟାଚ୍ ଖେଳି ନ ପାରନ୍ତି। ଏମିତି ସ୍ଥିତିରେ ଅଭିଷେକ ଶର୍ମା ଅଧିନାୟକ ଭାବରେ ଦାୟିତ୍ୱ ନେବାର ସମ୍ଭାବନା ରହିଛି।
ଅଭିଷେକ ଶର୍ମା ଅଧିନାୟକ ହେବେ !
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସନରାଇଜର୍ସ ହାଇଦ୍ରାବାଦର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ IPL 2026 ର ପ୍ରାରମ୍ଭିକ କିଛି ମ୍ୟାଚ୍ ହରାଇପାରନ୍ତି। କମିନ୍ସଙ୍କୁ ଶେଷ ଥର ପାଇଁ ୨୦୨୫ ଡିସେମ୍ବରରେ ଆସେସ୍ ସିରିଜରେ ଦେଖିବାକୁ ମିଳିଥିଲା। ଏହା ପରେ ସେ ଆଘାତ ଯୋଗୁଁ ଆସେସ୍ ସିରିଜର ବାକି ମ୍ୟାଚ୍ ଖେଳି ପାରି ନ ଥିଲେ। ଏପରିକି ଆହତ କାରଣରୁ ଟି-୨୦ ବିଶ୍ଵକପ୍ ଖେଳି ପାରି ନ ଥିଲେ ପାଟ୍ କମିନ୍ସ।
ରିପୋର୍ଟ ଅନୁଯାୟୀ, କମିନ୍ସ ବର୍ତ୍ତମାନ ଆଘାତଜନିତ ସମସ୍ୟାରୁ ମୁକୁଳୁଛନ୍ତି। ଯଦି ସେ SRH ପାଇଁ ପ୍ରଥମ କିଛି ମ୍ୟାଚ୍ ଖେଳି ନ ପାରନ୍ତି ତେବେ ଅଭିଷେକ ଶର୍ମା ଦଳର ଅଧିନାୟକ ହେବାର ଆଶା ରହିଛି। ଏ ସମ୍ପର୍କରେ ଅଭିଷେକ ଶର୍ମା କିମ୍ବା ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
ସନରାଇଜର୍ସ ହାଇଦ୍ରାବାଦ କାର୍ଯ୍ୟସୂଚୀ
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଏପର୍ଯ୍ୟନ୍ତ IPL 2026 ପାଇଁ କେବଳ ୨୦ ମ୍ୟାଚ୍ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ହାଇଦ୍ରାବାଦର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୮ରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳି। ଏହା IPL 2026 ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ହେବ।
୨୮ ମାର୍ଚ୍ଚ - ସନରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର - ବେଙ୍ଗାଲୁରୁ
୨ ଏପ୍ରିଲ - ସନରାଇଜର୍ସ ହାଇଦ୍ରାବାଦ ବନାମ କୋଲକାତା ନାଇଟ୍ ରାଇଡର୍ସ - କୋଲକାତା
୫ ଏପ୍ରିଲ - ସନରାଇଜର୍ସ ହାଇଦ୍ରାବାଦ ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ - ହାଇଦ୍ରାବାଦ
୧୧ ଏପ୍ରିଲ - ସନରାଇଜର୍ସ ହାଇଦ୍ରାବାଦ ବନାମ ପଞ୍ଜାବ କିଙ୍ଗ୍ସ - ନ୍ୟୁ ଚଣ୍ଡିଗଡ଼
ସନରାଇଜର୍ସ ହାଇଦ୍ରାବାଦ ଶେଷ ଥର ୨୦୨୪ ସିଜିନର ଫାଇନାଲରେ ପହଞ୍ଚିଥିଲା। ଉକ୍ତ ଟାଇଟଲ୍ ମ୍ୟାଚରେ ୮ ୱିକେଟ୍ରେ କୋଲକାତା ନାଇଟ୍ ରାଇଡର୍ସଠାରୁ ହାରିଥିଲା ଦଳ। ସେହି ସିଜିନରେ, SRHର ବ୍ୟାଟିଂ ବିପର୍ଯ୍ୟର ଶିକାର ହୋଇଥିଲା।