ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଶୁଭମନ ଗିଲଙ୍କୁ ପଲି ଉମରିଗର ପୁରସ୍କାର ପ୍ରଦାନ କରାଯାଇଛି। ରବିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ବିସିସିଆଇ ନମନ ପୁରସ୍କାର ୨୦୨୬ରେ ଗିଲଙ୍କୁ ପୁରୁଷ କ୍ରିକେଟରେ ବର୍ଷର ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ଭାବରେ ସମ୍ମାନିତ କରାଯାଇଛି। ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନାଙ୍କୁ ବିସିସିଆଇର ଶ୍ରେଷ୍ଠ ମହିଳା କ୍ରିକେଟର ଭାବରେ ସମ୍ମାନିତ କରାଯାଇଛି।
ଶୁଭମନ ଗିଲଙ୍କ ପାଇଁ ୨୦୨୫ ବର୍ଷ ଏକ ଚମତ୍କାର ବର୍ଷ ଥିଲା, ବିଶେଷକରି ଟେଷ୍ଟ ଏବଂ ଦିନିକିଆ ମ୍ୟାଚ୍ରେ ସେ ବେଶ ସଫଳ ହୋଇଥିଲେ। କିନ୍ତୁ ଟି-୨୦ କ୍ରିକେଟ୍ରେ ଖରାପ ଫର୍ମ ଯୋଗୁଁ ଟି-୨୦ ବିଶ୍ଵକପ୍ ଦଳରେ ସ୍ଥାନ ପାଇ ପାରି ନ ଥିଲେ। ଇଂଲଣ୍ଡ ଗସ୍ତରେ ୧୦ ଟେଷ୍ଟ ଇନିଂସରେ, ସେ ୭୫.୪୦ ହାରରେ ୭୫୪ ରନ କରିଥିଲେ, ଯେଉଁଥିରେ ଚାରୋଟି ଶତକ ସାମିଲ୍। ଏହା ଗିଲଙ୍କ ଅଧିନାୟକ ଭାବରେ ପ୍ରଥମ ଟେଷ୍ଟ ସିରିଜ୍ ଥିଲା।
ଶୁଭମନ ଗିଲ ମଧ୍ୟ ଭାରତର ଚାମ୍ପିଅନ୍ସ ଟ୍ରଫି ୨୦୨୫ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ବାଂଲାଦେଶ ବିପକ୍ଷରେ ଅପରାଜିତ ୧୦୧ ରନ କରିଥିଲେ। ସେ ଦିନିକିଆରେ ବିଶ୍ୱର ନମ୍ବର ଓ୍ବାନ ଦିନିକିଆ ବ୍ୟାଟର ହୋଇଥିଲେ। ସମଗ୍ର ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ସେ ୧୮୮ ରନ କରିଥିଲେ।
ତେବେ ୨୦୨୬ ତାଙ୍କ ପାଇଁ ଖରାପ ଆରମ୍ଭ ଥିଲା। ସେ ଟି-୨୦ ଦଳର ଉପ-ଅଧିନାୟକ ଥିଲେ। କିନ୍ତୁ ଖରାପ ଫର୍ମ ଯୋଗୁଁ ତାଙ୍କୁ କେବଳ ଟି-୨୦ରେ ଦଳରୁ ବାଦ ଦିଆଯାଇଥିଲା ନାହିଁ ବରଂ ଟି-୨୦ ବିଶ୍ଵକପରେ ସ୍ଥାନ ମିଳି ନ ଥିଲା। ତାଙ୍କ ଅନୁପସ୍ଥିତିରେ, ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୬ ଜିତିଥିଲା। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ କରି, ଭାରତ ଲଗାତାର ଦ୍ଵିତୀୟ ଥର ପାଇଁ ଏବଂ ସାମଗ୍ରିକ ଭାବରେ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଟ୍ରଫି ଜିତିଥିଲା।