ନୂଆଦିଲ୍ଲୀ: ଶିଶୁ ଜନ୍ମ କେବଳ ମାଆଙ୍କ ଦାୟିତ୍ୱ ନୁହେଁ… ବାପାଙ୍କ ଭୂମିକା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ପିଲାର ମାନସିକ ଓ ଶାରୀରିକ ବିକାଶରେ ପିତାଙ୍କ ଭୂମିକାକୁ କୌଣସି ଗୁଣରେ କମ୍ କରାଯାଇ ପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଏହି ମହତ୍ୱପୂର୍ଣ୍ଣ ମନ୍ତବ୍ୟ ସହିତ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପିତୃତ୍ୱ ଛୁଟି (Paternity Leave) କୁ ସାମାଜିକ ସୁରକ୍ଷା ଅଧିକାର ଭାବେ ସ୍ୱୀକାର କରିବାକୁ ଆଇନ ଆଣିବା ପାଇଁ ଆହ୍ୱାନ କରିଛନ୍ତି।
ନ୍ୟାୟମୂର୍ତ୍ତି ଜେ.ବି. ପାର୍ଡିୱାଲା ଓ ଆର. ମହାଦେବନଙ୍କ ବେଞ୍ଚ ସ୍ପଷ୍ଟ କରିଛନ୍ତି, “ବାପା ଘରେ ଥିଲେ ମଧ୍ୟ, କାମର ଚାପରେ ଯଦି ଶିଶୁ ସହ ସମୟ ଦେଇପାରୁନାହାନ୍ତି, ତେବେ ସେ ଶିଶୁର ପ୍ରାରମ୍ଭିକ ଜୀବନର ମୂଲ୍ୟବାନ ଅନୁଭବରୁ ବଞ୍ଚିତ ହେଉଛନ୍ତି।”
“Presence” ଓ “Proximity” ଭିନ୍ନ:
କୋର୍ଟ କହିଛନ୍ତି, ଶିଶୁ ପାଖରେ ରହିବା (proximity) ଓ ସତରେ ସେଥିରେ ଭାଗ ନେବା (presence) ଦୁଇଟି ଅଲଗା କଥା। କେବଳ ଅର୍ଥ ଉପାର୍ଜନ କରିବା ଦାୟିତ୍ୱ ପୂରଣ ନୁହେଁ।
ପିତୃତ୍ୱ ଛୁଟି କାହିଁକି ଜରୁରୀ?
ସୁପ୍ରିମକୋର୍ଟ ମତ ଦେଇଛନ୍ତି ଯେ ପିତୃତ୍ୱ ଛୁଟି ମାଆ-ବାପା ଓ ଶିଶୁ ଦୁହେଁର ଆବଶ୍ୟକତାକୁ ଭିତ୍ତି କରି ନିର୍ଦ୍ଧାରିତ ହେବା ଉଚିତ।କୋର୍ଟ ଆହୁରି ମଧ୍ୟ କହିଛନ୍ତି—ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଶିଶୁ ଓ ଜନ୍ମ ଶିଶୁ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ପୋଷ୍ୟ ସନ୍ତାନ ଗ୍ରହଣ କରିବା ମଧ୍ୟ Article ୨୧ ଅଧୀନରେ ଏକ ସମାନ ଅଧିକାର।
କୋର୍ଟଙ୍କ କହିବା ଅନୁଯାୟୀ, ଶିଶୁର ଜୀବନର ପ୍ରଥମ କିଛି ବର୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ପିତା ଏହି ସମୟରେ ପିଲା ସହ ସମୟ ନ ବିତାଇବେ, ତେବେ ଉଭୟ ଏକ ସ୍ନେହପୂର୍ଣ୍ଣ ସମ୍ପର୍କରୁ ବଞ୍ଚିତ ହେବେ। ଶିଶୁର ଶାରୀରିକ ଓ ମାନସିକ ବିକାଶରେ ପିତାଙ୍କ ଭୂମିକାକୁ ଅଣଦେଖା କରିବା ଅନ୍ୟାୟ। ପିତାମାତା ହେବା ଏକ ସାମୂହିକ ଦାୟିତ୍ୱ। ଜନ୍ମ କିମ୍ବା ପୋଷ୍ୟ ଗ୍ରହଣ ସମୟରେ ମା’ଙ୍କୁ ପାରିବାରିକ ଏବଂ ମାନସିକ ସମର୍ଥନ ଦେବାରେ ବି ପିତାଙ୍କ ଛୁଟି ସହାୟକ ହେବ। ତେଣୁ ପିଲାମାନଙ୍କର ସାମଗ୍ରିକ ବିକାଶରେ ପିତାଙ୍କ ସମାନ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅଣଦେଖା କରିବା ନ୍ୟାୟସଙ୍ଗତ ନୁହେଁ, ଏହା ଏକ ମିଳିତ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
କୋଡ୍ ଅନ ସୋସିଆଲ ସେକ୍ୟୁରିଟି ୨୦୨୦ର ଧାରା ୬୦(୪) କୁ ଅସଂବିଧାନିକ ଘୋଷଣା କରି କୋର୍ଟ ଏହାର ପୁନର୍ବିଚାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସୁପ୍ରିମକୋର୍ଟର ଏହି ମତ ଆଗାମୀ ଦିନରେ ବଡ଼ ପରିବର୍ତ୍ତନ ଆଣିପାରେ। ଏବେ ସବୁଠୁ ବଡ଼ ପ୍ରଶ୍ନ କେନ୍ଦ୍ର ସରକାର କେବେ ଆଣିବ ଏହି ଆଇନ?