ନୂଆଦିଲ୍ଲୀ: ଗମ୍ଭୀର ରାଜନୀତିକ ମଞ୍ଚ ମଧ୍ୟରେ ହସର ଝଡ଼। ଖଡ଼ଗେଙ୍କ ଜୋକ୍ରେ ହସିଲା ରାଜ୍ୟସଭା। ବୁଧବାର ରାଜ୍ୟସଭାରୁ ଅବସର ନେଉଥିବା ସାଂସଦମାନଙ୍କୁ ବିଦାୟ ଦେବା ଅବସରରେ କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ,ଏମିତି ଡାଏଲଗ୍ ମାରିଲେ, ଯାହା ଶୁଣି ବିରୋଧୀଙ୍କ ଠୁ ନେଇ ଶାସକ ଦଳ ଯାଏଁ ସମସ୍ତେ ହସି ଉଠିଲେ।
“ରାଜନୀତିରେ ନ ଥାଏ କ୍ଲାନ୍ତି କି ଅବସର"
ଆଜି ଅବସରକାଳୀନ ସମ୍ବର୍ଦ୍ଧନା ବେଳେ ଖଡ଼ଗେ କହିଛନ୍ତି, "ରାଜନୀତି କେବଳ ପଦବୀ ନୁହେଁ, ଏହା ଜୀବନବ୍ୟାପି ଏକ ଦାୟିତ୍ୱ। ରାଜନୀତିରେ ନା କେହି ଥକେ, ନା କେହି ସତରେ ଅବସର ନେଉଥାଏ। ରାଜନୀତିରେ ଥିବା ଲୋକ ଦେଶସେବା ପ୍ରତି ନିଜ ଦାୟିତ୍ୱକୁ କେବେ ଛାଡ଼ନ୍ତି ନାହିଁ। ପଦବୀ ଶେଷ ହେଲେ ମଧ୍ୟ ଲୋକତନ୍ତ୍ର ପ୍ରତି ଦାୟିତ୍ୱ ଜାରି ରହେ"।
ଦେବେଗୌଡାଙ୍କୁ ନେଇ ଖଡ଼ଗେଙ୍କ ମଜାଦାର କଟାକ୍ଷ
ଗମ୍ଭୀର ଚର୍ଚ୍ଚା ମଧ୍ୟରେ ଆଜି ରାଜ୍ୟସଭାରେ ଖଡ଼ଗେଙ୍କ ଏକ ମଜାଦାର ଟିପ୍ପଣୀ ଗୃହରେ ସମସ୍ତଙ୍କୁ ହସାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡାଙ୍କ ସହ ୫୪ ବର୍ଷର ସମ୍ପର୍କକୁ ଉଲ୍ଲେଖ କରି ଖଡ଼ଗେ କହିଥିଲେ, “ପରେ କ’ଣ ହେଲା ଜାଣିନି... ହେଲେ ଦେବେଗୌଡା ପ୍ରଥମେ ପ୍ରେମ ଆମ ସହ କଲେ, କିନ୍ତୁ ବିବାହ ମୋଦୀଙ୍କ ସହ”... ଏହି କଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ନାରେ ସେ କହିବା ସହିତ ରାଜ୍ୟସଭାରେ ସମସ୍ତେ ଏହାକୁ ଶୁଣି ହସିବାକୁ ଲାଗିଥିଲେ। ଏପରିକି ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଏହା ଶୁଣି ହସିଥିଲେ।
ବିଦାୟୀ ସାଂସଦଙ୍କୁ ମୋଦୀଙ୍କ ସନ୍ଦେଶ – ‘ରାଜନୀତିରେ ଫୁଲ୍ ଷ୍ଟପ୍ ନାହିଁ’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦାୟ ନେଉଥିବା ୩୭ ଜଣ ସାଂସଦଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ରାଜନୀତିରେ କେବେ ବିରାମ ନାହିଁ, ସେବା ଜାରି ରହିବ। ସେହିପରି ନୂଆ ସାଂସଦମାନଙ୍କୁ ଖଡଗେ, ଦେବେଗୌଡା ଓ ଶରଦ ପୱାର ଭଳି ଅନୁଭବୀ ନେତାଙ୍କଠାରୁ ଶିଖିବାକୁ ଉତ୍ସାହିତ କରିଥିଲେ।
ସେହିପରି କେନ୍ଦ୍ରମନ୍ତ୍ରୀ ରାମଦାସ ଆଥାୱାଲଙ୍କୁ ବିଦାୟ ସଭାରେ ମୋଦୀ କହିଥିଲେ,“ଆଥାୱାଲେ ଆଜି ସଂସଦରୁ ଯାଉଛନ୍ତି ସତ, କିନ୍ତୁ ତାଙ୍କ ହସ ଓ ବ୍ୟଙ୍ଗ କେବେ ଯିବ ନାହିଁ। ପ୍ରଧାନମନ୍ତ୍ରୀ ତାଙ୍କୁ “ଏଭରଗ୍ରିନ୍” ବୋଲି କହି ସମ୍ବୋଧନ କରିଥିଲେ।
ରାଜ୍ୟସଭାର ଏହି ବିଦାୟୀ ଦିନ କେବଳ ରାଜନୀତି ନୁହେଁ, ଏହା ମଣିଷ ପ୍ରତି ଥିବା ସମ୍ପର୍କ ଓ ସମ୍ମାନକୁ ଦର୍ଶାଉଛି। ଏହି ବିଦାୟୀ ଦିନ ଦର୍ଶାଉଛି ଯେ, ରାଜନୀତିରେ ମତଭେଦ ଥାଏ ସତ, କିନ୍ତୁ ପରସ୍ପର ପ୍ରତି ମନରେ ସମ୍ପର୍କ ଓ ସମ୍ମାନ ବି ସେମିତି ଅବିକଳ ରହିଥାଏ।