ନୂଆଦିଲ୍ଲୀ: ବିଜେପିକୁ ୨୦୨୪ ଲୋକସଭା ନିର୍ବାଚନରେ ୨୪୦ ସିଟ୍ ମିଳିଥିଲା, ଯାହା ଦଳ ପାଇଁ ବଡ ଝଟକା ଥିଲା । କେବଳ ଏତିକି ନୁହେଁ ୨୦୧୪ ଏବଂ ୨୦୧୯ର ସାଧାରଣ ନିର୍ବାଚନ ତୁଳନାରେ କମ ସିଟ୍ ଜିତିଥିବାରୁ ଏହି ସରକାର ଉପରେ ପ୍ରଶ୍ନ ଉଠିଥିଲା । କାରଣ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନେତୃତ୍ୱାଧୀନ ବିଜେପିକୁ ମେଣ୍ଟ ଉପରେ ନିର୍ଭର ରହି ସରକାର ଗଢିବାକୁ ପଡିଥିଲା । ଏହି ସବୁ ଆଶଙ୍କା ପରେ ବି ବିଜେପି ଓ ଏନଡିଏ ଯେଉଁ ସଫଳତା ହାସଲ କରିଛନ୍ତି ତାହା ଆଚମ୍ବିତ କରି ଦେବା ଭଳି ରହିଛି । ବିଜେପି ୨୦୨୪ ଲୋକସଭାର ଝଟକା ପରେ ବି ମହାରାଷ୍ଟ୍ର, ହରିୟାଣା, ବିହାର ଓ ଦିଲ୍ଲୀ ପରି ରାଜ୍ୟର ବିଧାନସଭା ନିର୍ବାଚନ ଜିତିଛି । ଆଉ ଏହାର ପ୍ରଭାବ ରାଜ୍ୟସଭା ନିର୍ବାଚନରେ ଦେଖିବାକୁ ମିଳିଛି । ସଂସଦର ଉଚ୍ଚ ସଦନରେ ବିଜେପିର ସାଂସଦ ସଂଖ୍ୟା ୧୦୦ ଟପିଛି ।
ଏନଡିଏ ମଧ୍ୟ ପ୍ରଥମ ଥର ୧୪୧ ସିଟରେ ପହଞ୍ଚି ଯାଇଛି । ୨୫୦ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଏନଡିଏ ପକ୍ଷରେ ଏମିତି ବହୁମତ ଆସିବା ବହୁତ ବଡ ସଫଳତା । ବିଶେଷ କରି ନିକଟରେ ଖାଲି ପଡିଥିବା ୩୭ ରାଜ୍ୟସଭା ସିଟ୍ ମଧ୍ୟରୁ ୨୨ ଉପରେ ଏନଡିଏ ବିଜୟ ହାସଲ କରିଛି । ଓଡିଶା, ବିହାରରେ ବିଜେପି ଅତିରିକ୍ତ ସିଟ୍ ହାସଲ କରିଛି । ବିଜେପି ପାଖରେ ଉଚ୍ଚ ସଦନରେ ୧୦୧ ନିର୍ବାଚିତ ସାଂସଦ ରହିଥିବା ବେଳେ ୫ ମନୋନୀତ ସାଂସଦ ପାର୍ଟି ସପକ୍ଷରେ ଅଛନ୍ତି । ଏମିତି ସ୍ଥିତିରେ ବିଜେପିର ସଦସ୍ୟ ସଂଖ୍ୟା ୧୦୬ ରହିଛି । ଏନଡିଏରେ ବିଜେପି ପରେ ଏଆଇଏଡିଏମକେ ଏବଂ ଜେଡିୟୁର ୫-୫ ସାଂସଦ ରହିଛନ୍ତି ।
ପୁଣି ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଏନସିପିର ୪ ସାଂସଦ ହୋଇଛନ୍ତି । ଏକନାଥ ସିନ୍ଦେଙ୍କ ଶିବସେନାରେ ଦୁଇ ଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି । ଆନ୍ଧ୍ର ପ୍ରଦେଶରେ କ୍ଷମତାସୀନ ଟିଡିପି ପାଖରେ ମଧ୍ୟ ଦୁଇ ରାଜ୍ୟସଭା ସଦସ୍ୟ ଅଛନ୍ତି । ବିଜେପି ଏବଂ ଏନଡିଏ ପାଖରେ ଏହି ତାକତରୁ ସ୍ପଷ୍ଟ ହୋଇଛି ଯେ, ଏବେ ଦଳ ଲୋକସଭା ପରି ରାଜ୍ୟସଭାରେ ମଧ୍ୟ କୌଣସି ବି ବିଧେୟକକୁ ସହଜରେ ପାରିତ କରି ପାରିବ । ଲୋକସଭାରେ ବିଜେପିର ସାଂସଦ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ରାଜ୍ୟସଭାରେ ଏହା ବଢି ଚାଲିଛି ।
Also read: କଂଗ୍ରେସ ଛାଡ଼ିଲେ ସାଂସଦ ପ୍ରଦ୍ୟୁତ ବୋର୍ଡୋଲୋଇ, ରାଜ୍ୟ ଉପାଧ୍ୟକ୍ଷ ନବଜ୍ୟୋତି ତାଲୁକଦାର