ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ବୋର୍ଡ(ବିସିବି) ଉପରେ ଆଇସିସି ଦ୍ୱାରା ନିଲମ୍ବନର ବିପଦ ରହିଛି । କାରଣ ବିସିବିର ନିର୍ବାଚନରେ ହୋଇଥିବା ଅନିୟମିତତା ଯାଞ୍ଚ କରାଯାଉଛି । ବାଂଲାଦେଶର ନୂଆ ସରକାର ବୋର୍ଡର ନିର୍ବାଚନରେ ହୋଇଥିବା ଅନିୟମିତତା ଏବଂ ହେରଫେରର ତଦନ୍ତ ଆଦେଶ ଦେଇଛନ୍ତି ।
ଆଇସିସିକୁ ଯଦି ଲାଗିବ ଯେ, ବିସିବିର କାର୍ଯ୍ୟରେ ସରକାର ହସ୍ତକ୍ଷେପ କରୁଛନ୍ତି, ତେବେ ଆଇସିସି ବିସିବିକୁ ସସପେଣ୍ଡ କରିପାରେ । କାରଣ ଆଇସିସି ନିୟମ ଅନୁସାରେ କ୍ରିକେଟ୍ ବୋର୍ଡ ସରକାରଙ୍କ ଦଖଲରୁ ମୁକ୍ତ ହେବା ଉଚିତ୍ । ଏସବୁ ମଧ୍ୟରେ ବାଂଲାଦେଶର ନୂଆ ସରକାର ଏହି ପ୍ରସଙ୍ଗରେ ଆଇସିସି ସହ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦ୍ୱାରା ବିସିବି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବେ ।
ବାଂଲାଦେଶର କ୍ରୀଡା ମନ୍ତ୍ରୀ ଅମିନୁଲ ହକ ବିସିବିର ଭବିଷ୍ୟତ ଉପରେ ଅନ୍ତିମ ନିଷ୍ପତ୍ତି ନେବା ପୂର୍ବରୁ ଆଇସିସିର ପରାମର୍ଶ ଲୋଡିବେ । ଏହା ସହିତ ଏକ କମିଟି ଗଠନ କରାଯାଇଛି ଯିଏ ଏହା ତଦନ୍ତ କରିବ ଯେ, ଚଳିତ ବର୍ଷ ଟି-୨୦ ବିଶ୍ୱକପରେ ବାଂଲାଦେଶ ଟିମ୍ କାହିଁକି ଅଂଶଗ୍ରହଣ କଲା ନାହିଁ ।
ବିସିବି ସୋମବାର କହିଛି ଯେ, କମିଟି ଗଠନ ହେବା ବାଂଲାଦେଶ ସରକାର ପକ୍ଷରୁ ବୋର୍ଡ ମାମଲାରେ ହସ୍ତକ୍ଷେପ କରିବା ସହ ସମାନ । ବାଂଲାଦେଶର ପୂର୍ବତନ ଫୁଟବଲ ଅଧିନାୟକ ହକ ମଙ୍ଗଳବାର କହିଛନ୍ତି ଯେ, ପାଞ୍ଚ ଜଣିଆ କମିିଟି ଯେବେ ନିଜର ରିପୋର୍ଟ ୧୫ ଦିନ ଭିତରେ ଦେବ ଏହା ଉପରେ ଆଇସିସି ସହ ଆଲୋଚନା କରାଯିବ ।
ୟୁନୁସ ସରକାରଙ୍କ ଥିଲା ସିଧା ହସ୍ତକ୍ଷେପ
ସେ କହିଛନ୍ତି, ଆମେ ସମସ୍ତେ ଜାଣିଛୁ ଯେ, ଗତ ବର୍ଷ ବିସିବି ନିର୍ବାଚନରେ ଆମର ଗତ ସରକାରଙ୍କ ସିଧାସଳଖ ହସ୍ତକ୍ଷେପ ଥିଲା । ମୁଁ ଅନେକ ଥର ଏହି ପ୍ରସଙ୍ଗରେ କଥା ହୋଇଛି । ଢାକାର କ୍ଲବ ଓ ଜିଲ୍ଲାରୁ ମିଳିଥିବା ଅଭିଯୋଗ ପରେ ଆମେ ତଦନ୍ତ କମିଟି ଗଠନ କରିଛୁ । ମାତ୍ର ପରବର୍ତ୍ତୀ ପଦକ୍ଷେପ ଆଇସିସି ସହ ଆଲୋଚନା ପରେ ହିଁ ଉଠାଯିବ ।