ମାଲକାନଗିରି: ଶେଷରେ ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ମାଲକାନଗିରି ଜିଲ୍ଲା ପାଇଁ ଆସିଛି ବଡ଼ ଖବର। ଚଳିତ ମାସ ଶେଷ ସୁଦ୍ଧା ମାଲକାନଗିରିରୁ ଭୁବନେଶ୍ୱରକୁ ସିଧା ବିମାନ ସେବା ଆରମ୍ଭ ହେବାକୁ ଯାଉଛି।
ଫାଇନାଲ ଚେକ୍ ପରେ ଗ୍ରୀନ ସିଗ୍ନାଲ!
ରାଜ୍ୟ ସରକାର ଓ ଇଣ୍ଡିଆ ୱାନ୍ ଏୟାରର ଉଚ୍ଚସ୍ତରୀୟ ବୈଷୟିକ ଦଳ ବିମାନବନ୍ଦରର ସମ୍ପୂର୍ଣ୍ଣ ଯାଞ୍ଚ କରିଛନ୍ତି। ରନୱେ, ସୁରକ୍ଷା ବ୍ୟବସ୍ଥା, ସିସିଟିଭି, ଟିକଟ କାଉଣ୍ଟର, ସବୁକିଛିକୁ ଖୁବ ନିକଟରୁ ଯାଞ୍ଚ କରାଯାଇଛି। କିଛି ସାମାନ୍ୟ ତ୍ରୁଟି ଚିହ୍ନଟ ହୋଇଥିବାବେଳେ ସେଗୁଡ଼ିକୁ ଶୀଘ୍ର ସଠିକ୍ କରିବାକୁ ନିର୍ଦେଶ ଦିଆଯାଇଛି। ଯାତ୍ରୀ ସୁବିଧା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ମଧ୍ୟ ତିଆରି ହେଉଛି।
ପ୍ରଥମେ ଛୋଟ ବିମାନ, ପରେ ବଡ଼ ପ୍ଲାନ୍
ଆରମ୍ଭରେ ୯ ଆସନ ବିଶିଷ୍ଟ ବିମାନ ଚଳାଚଳ କରିବ। ଜୟପୁର-ଭୁବନେଶ୍ୱର ରୁଟ୍କୁ ମାଲକାନଗିରି ପର୍ଯ୍ୟନ୍ତ ବଢ଼ାଯାଇ, ଏହି ଅଞ୍ଚଳକୁ ଆକାଶପଥରେ ସଂଯୋଗ କରାଯିବ।
ଟେଷ୍ଟ ଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତି
ଆସନ୍ତା କିଛି ଦିନ ମଧ୍ୟରେ ରନୱେରେ ପରୀକ୍ଷାମୂଳକ ଭାବେ ବିମାନ ଅବତରଣ ହେବାର ସୂଚନା ମିଳିଛି।
ଉଦ୍ଘାଟନ ହେଲା… କିନ୍ତୁ ଉଡିଲା ନାହିଁ!
୨୦୨୪ ନିର୍ବାଚନ ପୂର୍ବରୁ ବିମାନବନ୍ଦର ଉଦ୍ଘାଟନ ହୋଇଥିଲେ ମଧ୍ୟ, ଦୁଇ ବର୍ଷ ଧରି କୌଣସି ବିମାନ ଚଳାଚଳ ହୋଇନଥିଲା। ଅନୁମତି ଅଭାବକୁ ନେଇ ବିଳମ୍ବ ହୋଇଥିଲା।
ଏବେ ମିଳିଲା ଅନୁମତି, ଖୋଲିଲା ଆକାଶପଥ
ବର୍ତ୍ତମାନ ଘରୋଇ ବିମାନ ଚଳାଚଳ ପାଇଁ ଗ୍ରୀନ ସିଗ୍ନାଲ ମିଳିଥିବାରୁ ମାଲକାନଗିରି ପାଇଁ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ଯେଉଁ ମାଲକାନଗିରି ଦିନେ ଯାତାୟାତରେ ପଛରେ ରହିଥିଲା, ଦୁର୍ଗମ ଅଂଚଳ ପାଲଟିଥିଲା, ସେଠାରୁ ଏବେ ଉଡିବ ବିମାନ। ଏହା କେବଳ ଏକ ସେବା ନୁହେଁ ଏହା ଜିଲ୍ଲାର ଉନ୍ନତିର ନୂଆ ପଦକ୍ଷେପ।