ସମ୍ବଲପୁର: ଏକ ମନ୍ଦିର ମୂର୍ତ୍ତି ଚୋରି ମାମଲାରେ ସମ୍ବଲପୁର ଏସଡିଜେଏମ ଅଦାଲତ ଦ୍ରୁତ ବିଚାର କରି ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ରଜନୀକାନ୍ତ ଭୈଁସାଲ ଓରଫ ମୋନୁକୁ ଭାରତୀୟ ନ୍ୟାୟ ସଂହିତା ର ଧାରା ୩୩୧(୩)/୩୦୫(ଡି) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କାରାଦଣ୍ଡ ସହିତ ୧,୦୦୦ ଜରିମାନାର ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ୨୮ ଦିନ ମଧ୍ୟରେ ରାୟ ପ୍ରକାଶ ପାଇଛି ।
ଗତ ଫେବୃୟାରୀ ୧୭ ତାରିଖରେ ସମ୍ବଲପୁର ଟାଉନ୍ ଥାନା ଅଧୀନ ସୋମନାଥ ବାବା ମନ୍ଦିର, ବାଲିବନ୍ଧରୁ ପ୍ରାୟ ୨ କିଲୋ ଓଜନର ପିତଳର ଗଣେଶ ମୂର୍ତ୍ତି ଚୋରି ହୋଇଥିବା ସମ୍ପର୍କରେ ମନ୍ଦିର ଟ୍ରଷ୍ଟି ଲୋକନାଥ ପାଣ୍ଡେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସମ୍ବଲପୁର ପୋଲିସ ତ୍ୱରିତ ତଦନ୍ତ କରି ୨୦ ଫେବୃଆରୀରେ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ମୂର୍ତ୍ତିକୁ ଉଦ୍ଧାର କରିଥିଲେ। ମାତ୍ର ୧୧ ଦିନ ମଧ୍ୟରେ ଅର୍ଥାତ ୨୭ ଫେବୃଆରୀରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଏସଡିଜେଏମ୍ ଅଦାଲତ ଶୁଣାଣି କରି ଦୋଷୀକୁ ଦଣ୍ଡାଦେଶ ଦେଇଛନ୍ତି ।