ଢେଙ୍କାନାଳ ଜିଳ୍ପ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପିଛା ଛାଡ଼ୁନି ସମସ୍ୟା। ମଙ୍ଗଳବାର ୯ଟାରେ ହଠାତ୍ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା। ୯ ଟା ବହୁ ସମୟ ଧରି ବିଜୁଳି କଟି ଯିବାରୁ ରୋଗୀ ସେବାରେ ବ୍ୟାଘାତ ଘଟିଛି । ତେବେ ଚିକିତ୍ସାଳୟରେ ଜେନେରେଟ୍ର ଏବଂ ପ୍ରତ୍ୟେକ ବିଭାଗରେ ଇନ୍ଭର୍ଟର ରହିଥିଲେ ମଧ୍ୟ ସେଗୁଡ଼ିକ କାମ କରି ନଥିଲା। ବିଭାଗୀୟ ଅଧିକାରୀ ନା କର୍ମଚାରୀଙ୍କ ଅବହେଳାରୁ ଏଭଳି ଏ ସ୍ଥିତି ହେଲା ସେ ସମ୍ପର୍କରେ ପଚାରି ବୁଝିବା ପାଇଁ ଚିକିତ୍ସାଳୟ ପରିସରରେ କାହାକୁ ଖୋଜିଲେ ଦେଖିବାକୁ ମିଳି ନଥିଲେ ବୋଲି ଲୋକେ କହିଛନ୍ତି।
ଟିକେଟ୍ କାଉଣ୍ଟର, ଆଉଟ୍ଡୋର, ବିଭିନ୍ନ ପରୀକ୍ଷା, ନିଦାନ ବିଭାଗର ଟିକେଟ୍ କାଉଣ୍ଟର, ବିଭିନ୍ନ ବିଭାଗର ଡାକ୍ତରଙ୍କ ପାଖରେ ଧାଡ଼ିବାନ୍ଧି ଠିଆହୋଇଥିବା ରୋଗୀ ଘଣ୍ଟାଏରୁ ଅଧିକ ସମୟ ଧରି ହନ୍ତସନ୍ତ ହୋଇଥିଲେ। ଏଣେ କୌଣସି ବିକଳ୍ପ ବ୍ୟବସ୍ଥାରେ ବିଦ୍ୟୁତ୍ ଯୋଗାଣ ହୋଇପାରି ନଥିଲା। ଫଳରେ ଟିକେଟ୍ କାଟିବାଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ମଧ୍ୟ ହୋଇ ପାରି ନଥିଲା।
ଅନ୍ଧାରରେ ଡାକ୍ତର, ନର୍ସ ମୋବାଇଲ୍ ଲାଇଟ୍ରେ କାର୍ଯ୍ୟ କରୁଥିବା ଦେଖାଯାଇଥିଲା ଏପରିକି କିଛି ରୋଗୀ ଓ ସମ୍ପର୍କୀୟ ଲିଫ୍ଟରେ ଫସି ରହିଥିଲେ। ଚିକିତ୍ସାଳୟ କର୍ମଚାରୀ ପରେ ସେମାନଙ୍କୁ ଉଦ୍ଧାର କରି ବାହାରକୁ ଆଣିଥିଲେ। ଗରମ, ଗୁଳୁଗୁଳିରେ ରୋଗୀ ରୁନ୍ଧି ହୋଇଯିବା ପରି ଅବସ୍ଥା ସୃଷ୍ଟି ହୋଇଥିଲା। ଡାକ୍ତରଖାନାରେ ଥିବା ଜେନେରେଟର ଅଚଳ ଥିବାରୁ OT, lift ମଧ୍ୟ ବନ୍ଦ ହୋଇଯାଇଥିଲା। ବିଦ୍ୟୁତ ମେଣ୍ଟେନନ୍ସ କର୍ମଚାରୀ ଅବା ଡାକ୍ତରଖାନା କର୍ତ୍ତୃପକ୍ଷ କୌଣସି ପ୍ରକାର ବିଜୁଳି ବିଭ୍ରାଟ ଉପରେ ମୁହଁ ଖୋଲୁନାହାନ୍ତି। ଖରା ଦିନରେ ଏଭଳି ବିଦ୍ୟୁତ ବିଭ୍ରାଟକୁ ନେଇ ଜନ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଦୀର୍ଘ ଘଣ୍ଟାଏ ଧରି ଲୋକେ ହଇରାଣ ହେବା ପରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହୋଇଥିଲା।