ଭୁବନେଶ୍ୱର: ବିଧାନସଭାରେ ‘ହାଏ ହାଏ’ ନାରା ବଦଳରେ ଶୁଭିଛି ‘ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ’ । ଆଜି ବିଧାନସଭା ପରିସର କାନ୍ଦ ବୋବାଳିରେ ଫାଟି ପଡ଼ୁଛି । ଏକ କଥା ଅଜବ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ତେବେ କାହାର ସତ ସତିକା ଦେହାନ୍ତ ହୋଇ ନାହିଁ । ବରଂ ସ୍ୱାସ୍ଥ୍ୟ ବିଭାଗ ମୃତ୍ୟୁ ବରଣ କରିଥିବା କହି ବିଜେଡ଼ି ବିଧାୟକମାନେ ଏଭଳି ଅଭିନୟ କରିଛନ୍ତି ।
ଆଜି ପୁଣି ଥରେ ଗୃହରେ ଏସସିବି ତାତି ଦେଖିବାକୁ ମିଳିଛି । ଗୃହ ଆରମ୍ଭ କ୍ଷଣି ସମାନ ଦାବି ଏବଂ ସମାନ ପ୍ରସଙ୍ଗ ନେଇ ବିଜେଡ଼ି ସଦସ୍ୟମାନେ ହୋହାଲ୍ଲା ଆରମ୍ଭ କରିଦେଇଥିଲେ । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଅଭିଯୋଗରେ ବିରୋଧୀ ସଦସ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ପ୍ରବଳ ନାରାବାଜିରେ ଗୃହ କମ୍ପି ଉଠିଥିଲା । ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ କୌଣସି ବିଧାୟକ ଚୁପ ରହିନଥିଲେ । ଫଳରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ସାଢ଼େ 11ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।
ଏହା ପରେ ବିଜେଡ଼ି ବିଧାୟକମାନେ ବିଧାନସଭା ପରିସରରେ କୋକେଇ ଶୋଭାଯାତ୍ରା କରିଥିଲେ । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ସ୍ୱାସ୍ଥ୍ୟ ବିଭାଗର ଦେହାନ୍ତ ହୋଇଥିବା ବିଧାୟକମାନେ କହିଥିଲେ । ଏମିତିକି କୋକେଇ ଶୋଭାଯାତ୍ରାବେଳେ ବିଧାୟକ ଅନନ୍ତ ନାରାୟଣ ଜେନା ଖଇ କୋଉଡ଼ି ବିଞ୍ଚିଥିଲେ । ତା ସହିତ ଅନ୍ୟ ବିଧାୟକମାନେ ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ କହି କାନ୍ଦି କାନ୍ଦି ବୁଲିଥିଲେ । ବିଧାୟକ ଅରୁଣ ସାହୁ କହିଥିଲେ ସ୍ୱାସ୍ଥ୍ୟ ବିଭାଗ ପୂର୍ବରୁ କୋମାରେ ଥିଲା, ବର୍ତ୍ତମାନ ତାହାର ମୃତ୍ୟୁ ହୋଇଯାଇଛି । ଅପରେସନ୍ ସଫଳ, ରୋଗୀ ମୃତ ବୋଲି କହିଥିଲେ ।