ବ୍ରହ୍ମପୁର: କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ପରେ ଏବେ ବିଭିନ୍ନ ମେଡିକାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଦକ୍ଷିଣ ଓଡ଼ିଶାର ଲୋକମାନଙ୍କ ପାଇଁ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା MKCGରେ ଅଗ୍ନିନିରାପତ୍ତା ବ୍ୟବସ୍ଥାକୁ ନେଇ ପୁଣିଥରେ ଗଭୀର ପ୍ରଶ୍ନ ଉଠିଛି। ପୂର୍ବରୁ ବାରମ୍ବାର ସର୍ଟ ସର୍କିଟ୍ ଯୋଗୁଁ ଧୂଆଁ ବାହାରିବା ଓ ଛୋଟ ଅଗ୍ନିକାଣ୍ଡ ଘଟିଥିବା ଘଟଣା ରହିଥିବା ବେଳେ, ଏହା ଆଗାମୀ ଦିନରେ ବଡ଼ ବିପଦର ରୂପ ନେଇପାରେ ବୋଲି ଆଶଙ୍କା ବୃଦ୍ଧି ପାଇଛି।
ବିଶେଷକରି ସୁପର ସ୍ପେଶାଲିଟି ବ୍ଲକରେ ପୂର୍ବରୁ ଅଗ୍ନିକାଣ୍ଡ ଘଟିଥିବାରୁ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ନେଇ ଚିନ୍ତା ବଢ଼ିଛି। ପ୍ରତିଦିନ ହଜାର ହଜାର ରୋଗୀ ଏଠାକୁ ଆସୁଥିବା ବେଳେ ଏପରି ଅବ୍ୟବସ୍ଥା ରୋଗୀଙ୍କ ଜୀବନକୁ ବିପଦରେ ପକାଇପାରେ।
ସୁରକ୍ଷା ଯାଞ୍ଚ ପାଇଁ ଜୋରଦାର ଦାବି
ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ ହୋଇଥିଲେ ମଧ୍ୟ, ଏଠାରେ ପୁନଃପୁନି ଅଗ୍ନିକାଣ୍ଡ ଘଟିବା ପରେ ବ୍ୟବସ୍ଥାରେ ଚାହିଦା ଅନୁସାରେ ସୁଧାର ନ ଆସିବା ଅଭିଯୋଗ ହେଉଛି। କଟକର SCBରେ ଘଟିଥିବା ଅଗ୍ନିକାଣ୍ଡ ପରେ, ଏମ୍.କେ.ସି.ଜିରେ ନିୟମିତ ସୁରକ୍ଷା ଯାଞ୍ଚ ଓ ଫାୟାର ସେଫଟି ବ୍ୟବସ୍ଥା ସୁଦୃଢ କରିବାକୁ ବିଭିନ୍ନ ମହଳରୁ ଦାବି ବଢ଼ିଛି।
ବହୁ ବିଭାଗରେ ଅପର୍ଯ୍ୟାପ୍ତ ସୁବିଧା
ଏମ୍.କେ.ସି.ଜି କ୍ୟାମ୍ପସ୍ରେ ବହୁତ ବଡ଼ ଅଟ୍ଟାଳିକା ଥିବା ସତ୍ତ୍ୱେ, ସମସ୍ତ ବିଭାଗରେ ପୂର୍ଣ୍ଣ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବା ଅଭିଯୋଗ ହେଉଛି। ସ୍ତ୍ରୀ ଓ ପ୍ରସୂତି, ରେଡିଓଲୋଜି, ମେଡିସିନ୍, ଅସ୍ଥିଶଲ୍ୟ, କାଜୁଆଲ୍ଟି, ଓପିଡି, ମାନସିକ ରୋଗ ବିଭାଗ, ଟ୍ରମା କେୟାର ଓ ଅନ୍ୟାନ୍ୟ ବିଭାଗରେ କେବଳ ଅଗ୍ନିନିର୍ବାପକ ଯନ୍ତ୍ର ରହିଥିବା ବେଳେ, ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଣାଳୀ ନଥିବା କୁହାଯାଉଛି। କ୍ୟାମ୍ପସ୍ରେ ଅଗ୍ନିନିର୍ବାପକ ଯନ୍ତ୍ର ଥିଲେ ମଧ୍ୟ, ନିୟମିତ ନିରୀକ୍ଷଣ ହେଉନଥିବା ଅଭିଯୋଗ ମଧ୍ୟ ଆସୁଛି।
ହସ୍ପିଟାଲର ଅଧିକ୍ଷକ ପ୍ରଫେସର ଦୁର୍ଗା ମାଧବ ଶତପଥି କହିଛନ୍ତି ଯେ, ଗତବର୍ଷ ସେପ୍ଟେମ୍ବରରେ ସମ୍ମିଳିତ ସୁରକ୍ଷା ଅନୁଧ୍ୟାନ କରାଯାଇଥିଲା ଓ ନୂତନ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ସହିତ ନିୟମିତ ଯାଞ୍ଚ, ମକ୍ଡ୍ରିଲ୍, ଫାୟାର ପ୍ରିଭେନ୍ସନ୍ ବ୍ୟବସ୍ଥା ସୁଦୃଢ କରିବା ପାଇଁ ନିର୍ଦ୍ଦେଶ ମିଳିଛି। ସମସ୍ତ ବିଭାଗର କର୍ମଚାରୀଙ୍କୁ ନେଇ ମକ୍ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ରହିଛି।