ବଲାଙ୍ଗିରର ଓଡ଼ିଆ ପୁଅ ଭାବରେ ସମ୍ପ୍ରତି ଗଣମାଧ୍ୟମ ଓ ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ବ୍ୟକ୍ତି ହେଉଛନ୍ତି କ୍ୟାପଟେନ୍ ଧୀରଜ ଅଗ୍ରୱାଲ। ନିକଟରେ ଇରାନ-ଆମେରିକା ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ନିଜର ଅଦମ୍ୟ ସାହସିକତା ପ୍ରଦର୍ଶନ କରି ସେ ସାରା ଦେଶ ପାଇଁ ଗର୍ବ ଆଣିଦେଇଛନ୍ତି।
ଧୀରଜ ହେଉଛନ୍ତି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ବାସିନ୍ଦା। ତାଙ୍କ ପିତାଙ୍କ ନାମ ସ୍ୱର୍ଗତ ରମେଶ ଅଗ୍ରୱାଲ ଏବଂ ମାତାଙ୍କ ନାମ ସନ୍ତୋଷ ଅଗ୍ରୱାଲ।ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ବର୍ତ୍ତମାନ ତୈଳ ଓ ଗ୍ୟାସ ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଏହି ସମୟରେ ଭାରତ ପାଇଁ ଏକ ଖୁସି ଖବର ଆସିଛି। ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବା କାରଣରୁ ଇରାନ ଅକ୍ତିଆରରେ ଥିବା ହର୍ମୁଜ ପ୍ରଣାଳୀ ଦେଇ ବାଣିଜ୍ୟିକ ଜାହାଜ ଚଳାଚଳ ବନ୍ଦ ରହିଥିଲା।। ଏହି କାରଣରୁ ଭାରତରେ ରନ୍ଧନ ଗ୍ୟାସର (LPG) ଉତ୍କଟ ଅଭାବ ଦେଖାଦେଇଥିଲା। ଏହି ସଙ୍କଟ ସମୟରେ କ୍ୟାପଟେନ୍ ଧୀରଜ ନିଜର ଦକ୍ଷତା, ବୁଦ୍ଧିମତା ଓ ଧୈର୍ଯ୍ୟର ସହ ୪୬,୦୦୦ ମେଟ୍ରିକ୍ ଟନ୍ ଏଲ୍ପିଜି ଗ୍ୟାସ୍ କଣ୍ଟେନର ଭର୍ତ୍ତି ଜାହାଜ ’ନନ୍ଦାଦେବୀ’କୁ ସେହି ବିପଦପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ଦେଇ ସୁରକ୍ଷିତ ଭାବରେ ଭାରତକୁ ଆଣିବାରେ ସଫଳ ହୋଇଛନ୍ତି।୧୫ ଦିନ ଇରାନରେ ଫସି ରହିବା ପରେ ଜାହାଜ ସହିତ ପୁଅ ଭାରତ ଫେରୁଥିବାରୁ ପରିବାରରେ ଖୁସିର ମାହୋଲ ଖେଳିଯାଇଛି।