ନୂଆଦିଲ୍ଲୀ: ପାକିସ୍ତାନ ଦ୍ୱାରା କାବୁଲରେ ହୋଇଥିବା ବଡ ଧରଣର ଏୟାରଷ୍ଟ୍ରାଇକରେ ବଡ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନର ଏମିତି କାପୁରୁଷପଣ କାର୍ଯ୍ୟକୁ ନେଇ କଡା ପ୍ରତିକ୍ରିୟା ଦେଇଛି ଭାରତ । ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାକୁ ନେଇ କଡା ବୟାନ ଜାରି କରି କହିଛି ଯେ, ଏହା ଅମାନବୀୟ ଓ ନିନ୍ଦନୀୟ । ଏହା ସହିତ ଅନ୍ତର୍ଜାତୀୟ ସମୁଦାୟକୁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
କଡା ନିନ୍ଦା କଲା ଭାରତ
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କାବୁଲ ସ୍ଥିତ ଓମିଦ ଏଡିକ୍ସନ ଟ୍ରିଟମେଣ୍ଟ ହସ୍ପିଟାଲରେ ହୋଇଥିବା ଏୟାରଷ୍ଟ୍ରାଇକର କଡା ନିନ୍ଦା କରିଛି । ମନ୍ତ୍ରଣାଳୟ ଅନୁସାରେ, ମାର୍ଚ୍ଚ ୧୬ ରାତିରେ ଏହି ହମଲା ବବ୭ର, କାପୁରୁଷପଣ ଓ ଅମାନବୀୟ ଅଟେ । ଏଥିରେ ବହୁ ସଂଖ୍ୟାରେ ନିର୍ଦ୍ଦୋଷ ନାଗରିକଙ୍କ ପ୍ରାଣହାନୀ ଘଟିଛି ।
ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କହିଛି ଯେ, ଏହି ହସ୍ପିଟାଲ ଏମିତି ଏକ ସଂସ୍ଥା ଥିଲା, ଯାହା ଉପରେ କୌଣସି ବି ସ୍ଥିତିରେ ସୈନ୍ୟ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । ପାକିସ୍ତାନ ଏହି ଘଟଣାକୁ ସାମରିକ କାର୍ଯ୍ୟାନୁଷ୍ଠାନ ବୋଲି କହିଛି ।
ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ହମଲା
ମନ୍ତ୍ରଣାଳୟ କହିଛି ଯେ, ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ସିଧାସଳଖ ହମଲା । ଏହା କ୍ଷେତ୍ରୀୟ ଶାନ୍ତି ଓ ସ୍ଥିରତା ପାଇଁ ଗମ୍ଭୀର ବିପଦ ଉତ୍ପନ କରିପାରେ । ଏହି ପଦକ୍ଷେପ ପାକିସ୍ତାନର ବେପରୁଆ ମନୋଭାବକୁ ଦର୍ଶାଉଛି । ପାକିସ୍ତାନ ସର୍ବଦା ନିଜର ଆଭ୍ୟନ୍ତରୀଣ ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ ସୀମାରେ ହିଂସାର ସାହାରା ନେଇ ଆସୁଛି ।
ବୈଦେଶିକ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ରମଜାନର ପବିତ୍ର ମାସରେ ଏହି ଧରଣର ହମଲା ଆହୁରି ନିନ୍ଦନୀୟ । ଏହି ସମୟ ଶାନ୍ତି, ଆତ୍ମମନ୍ଥନ ଓ ଦୟାର ହୋଇଥାଏ । ଏମିତିରେ ହସ୍ପିଟାଲ୍ ଓ ରୋଗୀଙ୍କୁ ଟାର୍ଗେଟ୍ କରିବା କୌଣସି ବି ଧର୍ମ କିମ୍ବା ଆଇନତଃ ଉଚିତ୍ ନୁହେଁ ।