ନୂଆଦିଲ୍ଲୀ: ୧୩ ବର୍ଷ ପୂର୍ବର ଏକ ଦୁର୍ଘଟଣା ଏବଂ ଜୀବନବ୍ୟାପୀ ନୀରବତା। ଜୀବନ ଓ ମୃତ୍ୟୁ ମଧ୍ୟରେ ଚାଲିଥିବା ଏକ ସଂବେଦନଶୀଳ ଯାତ୍ରା ମଧ୍ୟରେ ଏବେ ୩୨ ବର୍ଷୀୟ ହରିଶଙ୍କ ଜୀବନ ଏବେ ଧୀରେ ଧୀରେ ଶେଷ ପର୍ଯ୍ୟାୟକୁ ପହଞ୍ଚୁଛି। ପରିବାର ସହ ଭାବୁକ ବିଦାୟ ପରେ ତାଙ୍କ ଇଚ୍ଛାମୃତ୍ୟୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ସମ୍ପ୍ରତି ସୁପ୍ରିମକୋର୍ଟ ତାଙ୍କ ‘ରାଇଟ୍ ଟୁ ଡାଇ’କୁ ସ୍ୱୀକୃତି ଦେବା ପରେ ଡାକ୍ତରୀ ନିୟମାବଳୀ ଅନୁଯାୟୀ ଧୀରେ ଧୀରେ ତାଙ୍କର ଲାଇଫ୍ ସପୋର୍ଟ ସିଷ୍ଟମକୁ ହଟାଯାଉଛି।
ଧୀରେ ଧୀରେ ବନ୍ଦ ହେଉଛି ସମସ୍ତ ସହାୟତା
ପ୍ରଥମେ ଖାଦ୍ୟ ସହାୟତା ବନ୍ଦ କରାଯାଇଥିବା ବେଳେ, ଏବେ ପାଣି ସପ୍ଲାଇ ମଧ୍ୟ ବନ୍ଦ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅକ୍ସିଜେନ୍ ଓ ଅନ୍ୟାନ୍ୟ ଔଷଧ ସହାୟତାକୁ ମଧ୍ୟ ହଟାଯିବ। ଡାକ୍ତରମାନଙ୍କ କହିବା ଅନୁସାରେ, ଏହା ଏକ ପ୍ରକ୍ରିୟା ଯାହା ଧୀରେ ଧୀରେ ଚାଲିଥାଏ, ଯାହାର ମୂଳ ଲକ୍ଷ୍ୟ ହେଉଛି ରୋଗୀଙ୍କୁ କୌଣସି ବ୍ୟଥା ନ ହେବାକୁ ନିଶ୍ଚିତ କରିବା।
ହରିଶଙ୍କ ହାତରେ ଆଉ କେତେ ସମୟ?
ସୂତ୍ର ଅନୁଯାୟୀ, ସମ୍ପୂର୍ଣ୍ଣ ପ୍ରକ୍ରିୟା ପୂରା ହେବାକୁ ୨ରୁ ୩ ସପ୍ତାହ ସମୟ ଲାଗିପାରେ। ତଥାପି ଏହା ରୋଗୀଙ୍କ ଶାରୀରିକ ଅବସ୍ଥା ଉପରେ ନିର୍ଭର କରିଥାଏ। ଏମ୍ସ ଡାକ୍ତରଙ୍କ ମତରେ ଏହି ପ୍ରକ୍ରିୟା ଶୀଘ୍ର ସମ୍ଭବ ନୁହେଁ। ଏହାକୁ ଅତ୍ୟନ୍ତ ସତର୍କତା ଏବଂ ସମ୍ବେଦନଶୀଳତା ସହ ସମ୍ପାଦାନ କରାଯିବ। ଏଥିପାଇଁ ୨ ରୁ ୩ ସପ୍ତାହ ସମୟ ଲାଗିବ। ୩୧ ବର୍ଷୀୟ ହରିଶ ରାଣା ବର୍ତ୍ତମାନ AIIMS ରେ ଅଛନ୍ତି। ହରିଶ ରାଣାଙ୍କ ପାଇଁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ ଅନୁମତି ଦେବା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ AIIMS-ଦିଲ୍ଲୀ ପ୍ରୋଟୋକଲ ଆରମ୍ଭ କରିଛି।
ଅନ୍ୟପଟେ ହରିଶ ରାଣାଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଭାବୁକ ଓ କଠିନ ସମୟ। ବର୍ଷରୁ ବର୍ଷ ଆଶା ଧରି ରହିଥିବା ପରିବାର ଏବେ ଆଇନଗତ ଓ ଡାକ୍ତରୀ ପ୍ରକ୍ରିୟା ଅନୁଯାୟୀ ଏହି ନିଷ୍ପତ୍ତିକୁ ସ୍ୱୀକାର କରିଛନ୍ତି।