ଗୁଜରାଟ: ପଶ୍ଚିମ ଏସିଆ ଜଳୁଛି… ସମୁଦ୍ରପଥ ହେଉଛି ଅନିଶ୍ଚିତ... ବିଶ୍ୱସମୂହରେ ଏବେ ତେଲ ସଙ୍କଟର ଛାୟା। କିନ୍ତୁ ଏହି ଅସ୍ଥିର ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଖୋଲିଯାଇଛି ଏକ ‘ସୁରକ୍ଷିତ ପଥ’। ହର୍ମୁଜ ପ୍ରଣାଳୀରେ ଭାରତୀୟ ପତାକା ଦେଖିଲେ ବାଟ ଖୋଲିଦେଉଛି ଇରାନ। ଦେଶରେ ଏଲପିଜି ଅଭାବ ନେଇ ଚିନ୍ତା ବଢ଼ୁଥିବା ବେଳେ ପଶ୍ଚିମ ଏସିଆର ତଣାଟଣି ମଧ୍ୟରୁ ଭାରତୀୟ ଝଣ୍ଡା ବୋହିଥିବା ତେଲ ଜାହାଜ ‘ଜାଗ ଲାଡ଼କି’ ପ୍ରାୟ ୮୦,୮୦୦ ମେଟ୍ରିକ ଟନ୍ କ୍ରୁଡ୍ ତେଲ ନେଇ ବୁଧବାର ଦିନ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ସୁରକ୍ଷିତ ଭାବେ ପହଞ୍ଚିଛି।
ଆକ୍ରମଣର ଛାୟା ମଧ୍ୟରେ ଯାତ୍ରା
ଫୁଜାଇରା ତେଲ ଟର୍ମିନାଲ ଉପରେ ଆକ୍ରମଣ ହେବାର ମାତ୍ର ଗୋଟିଏ ଦିନ ପରେ ଯାତ୍ରା କରିଥିଲା ‘ଜଗ ଲାଡ଼କି’। ଆକ୍ରମଣ ସମୟରେ ଏହି ଜାହାଜ ତେଲ ଲୋଡ଼ କରୁଥିବା ସତ୍ତ୍ୱେ, ସମସ୍ତ ବିପଦକୁ ଟାଳି ସୁରକ୍ଷିତ ଭାବେ ଭାରତ ପହଞ୍ଚିଛି। ‘ଶିବାଲିକ’ ଓ ‘ନନ୍ଦା ଦେବୀ’ ପରେ ‘ଜଗ ଲାଡ଼କି’ ତିନି-ତିନୋଟି ଭାରତୀୟ ଜାହାଜ ଯୁଦ୍ଧଅଞ୍ଚଳକୁ ସୁସ୍ଥ ଭାବେ ଭାରତ ଫେରିଛି। ଏହା ଭାରତୀୟ ନାଭିକ ଦକ୍ଷତା ଓ କୂଟନୀତିର ଜିତ ବୋଲି ମନାଯାଉଛି।
ତେବେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ମଧ୍ୟରେ ଏହି ତୈଳ ଜାହାଜଗୁଡ଼ିକ ଭାରତରେ ପହଞ୍ଚିଛି। ଇରାନ ୟୁଏଇରେ ବନ୍ଦର ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରି ସମ୍ଭାବ୍ୟ ଆକ୍ରମଣ ବିଷୟରେ ଚେତାବନୀ ଦେଇଥିଲେ ମଧ୍ୟ ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ଜାହାଜ ପାଇଁ ନିରାପଦ ପଥ ପ୍ରଦାନ କରିଛି। ଅତି ସୁରକ୍ଷାର ସହିତ ଗୋଟିଏ ପରେ ଗୋଟିଏ ଭାରତୀୟ ଜାହାଜକୁ ହର୍ମୁଜ ପାର କରାଇଛି ଇରାନ। ଯେତେବେଳେ କି ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ସ୍ପଷ୍ଟ ଭାବେ କହିଛନ୍ତି ଯେ ଚାଲିଥିବା ସଂଘର୍ଷ ସମୟରେ ଆମେରିକା ଏବଂ ଇସ୍ରାଏଲୀ ଜାହାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ପ୍ରତିବନ୍ଧିତ ହେବ।
ଏହା ପୂର୍ବରୁ, ଦୁଇଟି ଭାରତୀୟ ପତାକାଧାରୀ ଏଲପିଜି ବାହକ, ଶିବାଲିକ୍ ଏବଂ ନନ୍ଦା ଦେବୀ, ହୋରମୁଜ୍ ପ୍ରଣାଳୀ ଦେଇ ମିଳିତ ଭାବରେ ୯୨,୭୧୨ ମେଟ୍ରିକ୍ ଟନ୍ ଏଲପିଜି ଆଣି ଭାରତରେ ପହଞ୍ଚାଇଥିଲେ। ଗୋଟିଏ ଜାହାଜ ସୋମବାର ପହଞ୍ଚିଥିଲା, ଯେତେବେଳେ ଅନ୍ୟଟି ଗୋଟିଏ ଦିନ ପରେ ଭାରତରେ ପହଞ୍ଚିଥିଲା। ଭାରତର ଦ୍ୱିତୀୟ ଏଲପିଜି ବାହକ ‘ନନ୍ଦା ଦେବୀ’ ମଙ୍ଗଳବାର ଦିନ ଗୁଜୁରାଟର ଭାଡିନାର ବନ୍ଦରରେ ସୁରକ୍ଷିତ ଭାବରେ ପହଞ୍ଚିଥିଲା।
ଫେବୃଆରୀ ୨୮ ରେ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଏବଂ ତେହେରାନର ପ୍ରତିଶୋଧ ପୂର୍ବରୁ, ଭାରତର ଅଧାରୁ ଅଧିକ ଅଶୋଧିତ ଆମଦାନୀ, ପ୍ରାୟ ୩୦ ପ୍ରତିଶତ ଗ୍ୟାସ ଏବଂ ୮୫-୯୦ ପ୍ରତିଶତ ଏଲପିଜି ଆମଦାନୀ ସାଉଦି ଆରବ ଏବଂ ୟୁଏଇ ଭଳି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଆସୁଥିଲା। ହେଲେ ଉତ୍ତେଜନା ବୃଦ୍ଧି ପରେ ଇରାନ ହର୍ମୁଜ ପ୍ରଣାଳୀ ସମସ୍ତ ଚଳାଚଳ ବନ୍ଦ୍ କରିବାକୁ ଘୋଷଣା କରିଥିଲା। ହେଲେ ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରମ୍ଵାର ଆଲୋଚନା ପରେ ଭାରତୀୟ ପତାକା ଥିବା ଜାହାଜକୁ ଗ୍ରୀନ ସିଗ୍ନାଲ ଦେଇଛି ଇରାନ।
ହର୍ମୁଜରେ ‘ଇଣ୍ଡିଆ ପାସ୍’
ଇରାନ ସ୍ପଷ୍ଟ କରିଛି ଯେ ଆମେରିକା ଓ ଇସ୍ରାଏଲୀ ଜାହାଜ ପାଇଁ ଏହି ପଥ କଠିନ, କିନ୍ତୁ ଭାରତୀୟ ଜାହାଜ ଏଠାରେ ସୁରକ୍ଷିତ ଯାତାୟାତ ଜାରି ରହିବ। ଏହା ପଛରେ ଭାରତର ଶକ୍ତିଶାଳୀ କୂଟନୀତିକ ସମ୍ପର୍କ ଥିବା କୁହାଯାଉଛି।
ଗ୍ୟାସ୍ ଯୋଗାଣରେ ମଧ୍ୟ ଆଶ୍ୱସ୍ତି
ଏହା ପୂର୍ବରୁ ‘ଶିବାଲିକ’ ଓ ‘ନନ୍ଦା ଦେବୀ’ ମୋଟ ୯୨,୭୧୨ ମେଟ୍ରିକ ଟନ୍ ଏଲପିଜି ନେଇ ଭାରତକୁ ଆସିଥିଲେ। ଯାହା ଦେଶରେ ରନ୍ଧନ ଗ୍ୟାସ ସଙ୍କଟ ମଧ୍ୟରେ ବଡ଼ ଆଶ୍ଵସ୍ତି ଆଣିଛି।
ଭାରତ ପାଇଁ କାହିଁକି ଜରୁରୀ?
ଭାରତ ତାହାର ଅଧିକାଂଶ ତେଲ ଓ ଗ୍ୟାସ ପାଇଁ ମଧ୍ୟପ୍ରାଚ୍ୟ ଉପରେ ନିର୍ଭର। ଏମିତି ସମୟରେ ହର୍ମୁଜ ପ୍ରଣାଳୀର ସୁରକ୍ଷା ଭାରତର ଆର୍ଥିକ ସ୍ଥିରତା ସହ ସିଧାସଳଖ ଭାବେ ଜଡିତ।
ବିଶ୍ୱ ଯେଉଁଠି ଏବେ ତେଲ ସଙ୍କଟରେ ଆତଙ୍କିତ, ସେଥି ଭାରତ ପାଇଁ ଖୋଲିଛି ଏକ ଅଲଗା ରାସ୍ତା। ଏହା କେବଳ ତେଲ ଜାହାଜର କାହାଣୀ ନୁହେଁ,ଏହା ଭାରତର ଶକ୍ତିଶାଳୀ ପ୍ରଭାବ ଓ କୂଟନୀତିର ଶକ୍ତିର ଜୀବନ୍ତ ଉଦାହରଣ।
ଅଧିକ ପଢନ୍ତୁ: ହର୍ମୁଜରୁ LPG ଜାହାଜକୁ ସୁରକ୍ଷିତ ଭାବରେ ଭାରତକୁ ଆଣିବାରେ ସଫଳ ହେଲେ ଓଡ଼ିଆ ପୁଅ; ଚର୍ଚ୍ଚାରେ ‘ନନ୍ଦାଦେବୀ’ର ସାରଥୀ