ଭୁବନେଶ୍ୱର: ବିଜୁ-ନବୀନ ଇନ୍ସିପରେସନାଲ୍ ଫାଉଣ୍ଡେସନକୁ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ପଷ୍ଟୀକରଣ ଦେଇଛନ୍ତି । ଏଥିରେ କୌଣସି ରାଜନୈତିକ ଦଳରୁ ଅର୍ଥ ଆସୁ ନାହିଁ । ଏହି ଟ୍ରଷ୍ଟ କେବଳ ଓଡ଼ିଶା ଲୋକଙ୍କ ହିତ ପାଇଁ ଖୋଲା ଯାଇଥିବା କହିଛନ୍ତି ନବୀନ ।
ନବୀନ ଆଜି ବିଧାନସଭା ପରିସରରେ ସାମାଜିକ ଗଣମାଧ୍ୟମରେ ବିଜୁ-ନବୀନ ଇନ୍ସିପରେସନାଲ୍ ଫାଉଣ୍ଡେସନକୁ ନେଇ ଉଠୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି । ନବୀନ କହିଛନ୍ତି ଯେ ତାଙ୍କ ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକ ମାତ୍ର ୩୦ ବର୍ଷର ଥିଲେ ସେତେବେଳେ ୟୁନେସ୍କୋ ଦ୍ୱାରା ପ୍ରଦାନ କରାଯାଇଥିବା କଳିଙ୍ଗ ପୁରସ୍କାରକୁ ଦାନ କରିଦେଇଥିଲେ । ବିଜ୍ଞାନର ପ୍ରଚାର ପ୍ରସାର ପାଇଁ ସେ ଏହାକୁ ଦାନ କରିଥିଲେ । ତାଙ୍କ ଜୀବନ କାଳ ମଧ୍ୟରେ ଜନସାଧାରଣଙ୍କ ପାଇଁ ସେ ଏଭଳି ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ୟ୍ୟ କରିଛନ୍ତି । ସେହିପରି ଭାଇ ପ୍ରେମ୍ ପଟ୍ଟନାୟକ, ଉଭଣୀ ଗୀତ ପଟ୍ଟନାୟକ ଏବଂ ନିଜେ ନବୀନ କଟକ ସ୍ଥିତ ବାସଭବନ ‘ଆନନ୍ଦ ଭବନ’କୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଦାନ କରିଦେଇଛୁ ।
ସେହିପରି ଯେତେବେଳେ ବେକ ଅସ୍ତ୍ରୋପଚାର ପାଇଁ ମୁମ୍ବାଇ ଏବଂ ପରେ ଦିଲ୍ଲୀ ଗଲେ ସେତେବେଳେ ଏକ ଟ୍ରଷ୍ଟ୍ ଖୋଲିବେ ବୋଲି ଚିନ୍ତା କରିଥିବା କହିଛନ୍ତି ନବୀନ । ଅନେକ ବିଶ୍ଚିଷ୍ଟ ଆଇନଜୀବୀ ଏବଂ ଚାଟାର୍ଡ୍ ଆକାଉଣ୍ଟାଣ୍ଟଙ୍କ ସହିତ ବିଚାରବିମର୍ଶ ପରେ ବିଜୁ ବାବୁଙ୍କ ନାମରେ ଆଉ ଏକ ଟ୍ରଷ୍ଟ ଖୋଲାଗଲା, ଯାହାର ନାମ ହେଉଛି ‘ବିଜୁ-ନବୀନ ଇନ୍ସିପରେସନାଲ୍ ଫାଉଣ୍ଡେସନ’ । ଏଥିରେ ନବୀନ ନିଜ ଆୟର ଏକ ଲକ୍ଷ ଟଙ୍କା ଦାନ କରୁଛନ୍ତି । ବିଜେଡ଼ି କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳରୁ କୌଣସ ଫଣ୍ଡ୍ ଆସୁନଥିବା ସ୍ପଷ୍ଟୀକରଣ ଦେଇଛନ୍ତି ନବୀନ । ଏହା କେବଳ ଓଡ଼ିଶାବାସୀଙ୍କ ପାଇଁ ଗଠନ କରାଯାଇଛି । ତେଣୁ ଏହା ବିରୁଦ୍ଧରେ କୌଣସି ନକରାତ୍ମକ ପ୍ରଚାର ପ୍ରସାର ନ କରିବାକୁ ନବୀନ ଅନୁରୋଧ କରିଛନ୍ତି ।
କିନ୍ତୁ ଗତକାଲି ଶ୍ରୀମୟୀ ମିଶ୍ର ଏପରି ତଥ୍ୟ ସାମ୍ନାକୁ ଆଣିବା ପରେ ବିଜେଡ଼ି ପ୍ରମିଳା ମଲ୍ଲିକ ଏପରି କିଛି ଟ୍ରଷ୍ଟ ନାହିଁ ବୋଲି କହିଥିଲେ । ଶ୍ରୀମୟୀ ମିଛରେ ପ୍ରିଣ୍ଟ କରି ଏଭଳି କିଛି ବାହାର କରିଥିବା କଟୁ ଶବ୍ଦରେ କହିଥିଲେ ପ୍ରମିଳା ।
ଗତକାଲି ଶ୍ରୀମୟୀ ମିଶ୍ର ଏହି ଫାଉଣ୍ଡେସନକୁ ନେଇ ସାମାଜିକ ଗଣମାଧ୍ୟମରେ ବଡ଼ ଖୁଲାସା କରିଥିଲେ । ଭିକେ ଫାଣ୍ଡିଆନଙ୍କ ହାତରେ ନବୀନ ନିଜର ସାମ୍ରାଜ୍ୟ ଟେକି ଦେଇଥିବା ସେ କହିଥିଲେ । ସେହି ଫାଉଣ୍ଡେସନରେ ପାଣ୍ଡିଆନ ଜୀବନବ୍ୟାପୀ ସଭାପତି ରହିଛନ୍ତି । ସେହିପରି ସଂତୃପ୍ତ ମିଶ୍ର ସମ୍ପାଦକ ଏବଂ ଅଶୋକ ପରିଜା କୋଷାଧ୍ୟକ୍ଷ ରହିଛନ୍ତି ।