ପୁରୀ: ରାଜନୀତିରେ କେତେବେଳେ କଣ ହେବ କହିବା କଷ୍ଟକର। ଡେଲାଙ୍ଗ ବ୍ଲକରେ ଏହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି। ଭୋଟରେ ଜିତିଥିବା ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଶେଷରେ କୋର୍ଟର ରାୟରେ ପଦ ହରାଇଛନ୍ତି। ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ସହିତ ଡେଲାଙ୍ଗ ରାଜନୀତିରେ ହୋଇଛି ପାୱାର୍ ଚେଞ୍ଜ। ଏବେ ବ୍ଲକ ଅଧ୍ୟକ୍ଷା ଚେୟାରରେ ବସିବେ ରମାଦେବୀ ରାଉତରାୟ।
କେମିତି ଘଟିଲା ଏହି ପୁରା ଖେଳ?
୨୦୨୨ରେ ହୋଇଥିବା ନିର୍ବାଚନରେ ବାସନ୍ତୀ ସାହୁ ୧୨ ଭୋଟ ପାଇ ଜିତିଥିଲେ। ରମାଦେବୀ ରାଉତରାୟ ପାଇଥିଲେ ୯ ଭୋଟ। କିନ୍ତୁ ଫଳାଫଳ ପରେ ଆରମ୍ଭ ହେଲା ଆଇନର ଲଢ଼େଇ।
ରମାଦେବୀଙ୍କ ଅଭିଯୋଗ କରିଥିଲେ ଯେ ବାସନ୍ତୀଙ୍କର ୩ଟି ପିଲା ଥିବାରୁ ସେ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ। ତିନୋଟି ସନ୍ତାନ ଥିବାରୁ ବାସନ୍ତୀଙ୍କ ଯୋଗ୍ୟତାକୁ ପ୍ରଶ୍ନ କରାଯାଇଥିଲା। ସେହରେ ଏହି ଅଭିଯୋଗ ନେଇ ମାମଲା କୋର୍ଟରୁ ଟ୍ରିବ୍ୟୁନାଲ, ପରେ ହାଇକୋର୍ଟ ଓ ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା।
ସୁପ୍ରିମକୋର୍ଟର ଫାଇନାଲ ରାୟ:
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଶେଷରେ ସ୍ପଷ୍ଟ କରିଦେଲେ ଯେ ଯେତେବେଳେ ମାତ୍ର ୨ ଜଣ ପ୍ରାର୍ଥୀ ଥିଲେ, ସେତେବେଳେ ପୁଣି ସାନି ନିର୍ବାଚନର କୌଣସି ଆବଶ୍ୟକତା ନାହିଁ। ଏହି ରାୟ ସହିତ ବାସନ୍ତୀ ସାହୁଙ୍କ ଅଧ୍ୟକ୍ଷା ପଦ ରଦ୍ଧ ହୋଇଥିବାବେଳେ ରମାଦେବୀ ରାଉତରାୟଙ୍କ ପାଇଁ ଖୋଲିଛି ସତ୍ତାର ନୂଆ ଦ୍ୱାର। ତାଙ୍କୁ ସିଧାସଳଖ ବ୍ଲକ ଅଧ୍ୟକ୍ଷା ଭାବେ ଘୋଷଣା କରାଯାଇଛି। ଏହି ରାୟ ସହିତ ଡେଲାଙ୍ଗ ରାଜନୀତିରେ ହୋଇଛି ବଡ଼ ହଲଚଲ। ଯେଉଁଠି ଭୋଟର ଫଳାଫଳ ଏକ ପକ୍ଷରେ ଥିଲା, ସେଠି କୋର୍ଟର ରାୟ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇଦେଲା। ତେବେ ଏହି ନୂଆ ନେତୃତ୍ୱ ଡେଲାଙ୍ଗର ରାଜନୀତିକ ଚିତ୍ରକୁ କେତେ ଦୂର ପରିବର୍ତ୍ତନ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।