କଟକ: ମହମ୍ମଦ ମୋକିମଙ୍କ ନୂତନ ଦଳ ଓଡ଼ିଶା ଜନତା କଂଗ୍ରେସ ବିଜେପିର ବିକଳ୍ପ ହେବ । ଆସନ୍ତା ଉତ୍କଳ ଦିବସରେ ଦେଖିବେ ଓଡ଼ିଶା ଜନତା କଂଗ୍ରେସ ସହିତ କିଏ ଅଛନ୍ତି ବା ନାହାଁନ୍ତି । ଆଜି ଇଦ୍ ଅବସରରେ ଦମ୍ଭର ସହ ବିଜେପି ଏବଂ କଂଗ୍ରେସକୁ ଚ୍ୟାଲେଞ୍ଜ ଦେଇଛନ୍ତି ପୂର୍ବତନ ବିଧାୟକ ମୋକିମ ।
ଆଜି ଇଦ୍ ଅବସରରେ ମହମ୍ମଦ ମୋକିମ କଟକରେ ଆୟୋଜିତ ସମୂହ ନମାଜ ପାଠରେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ ତାଙ୍କୁ ଦୁଇ ମାସ ତଳୁ କଂଗ୍ରେସରୁ ବହିଷ୍କାର କରାଯିବା ପରେ ଓଡ଼ିଶା ଜନତା କଂଗ୍ରେସ ଗଠନ ହୋଇଛି । ତେଣୁ କଂଗ୍ରେସ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । ନୂଆ ସଂଗଠନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଯେଉଁମାନେ ଓଡ଼ିଶା ଜନତା କଂଗ୍ରେସକୁ ଭଲ ପାଇବେ ସେହିମାନେ ଯୋଗଦାନ କରିବେ । ସେହିପରି ବିଧାୟିକା ତଥା ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ଦଳରେ ସାମିଲ ହେବେ କି ବୋଲି ପ୍ରଶ୍ନର ଉତ୍ତରରେ ମୋକିମ କହିଛନ୍ତି ଯେ ଯେଉଁମାନେ ଲୋକ ପ୍ରତିନିଧି ଅଛନ୍ତି, ସେମାନଙ୍କ ସମୟ ସରିବା ପୂର୍ବରୁ ଆସି ପାରିବେ ନାହିଁ । ସେହିପରି ସୋଫିଆ ମଧ୍ୟ ଆସିପାରିବେ ନାହିଁ । ତେଣୁ ସମୟ ସରିବାକୁ ଅପେକ୍ଷା କରିବ । ଏଥିରୁ ଅନୁମାନ କରାଯାଉଛି ଯେ ଆଗାମୀ ଭବିଷ୍ୟତରେ ସୋଫିଆ ନିଜ ବାପାଙ୍କ ଦଳରେ ଯୋଗଦାନ କରିପାରନ୍ତି ।
ସେହିପରି ବିଜେଡ଼ି ଏବଂ କଂଗ୍ରେସ ସହିତ ତୁଳନାକୁ ସେ ଉଚିତ ମନେ କରି ନଥିଲେ । ତାଙ୍କ ଦଳ ବିଜେପିର ବିକଳ୍ପ ହେବ ବୋଲି ଦମ୍ଭର ସହିତ କହିଛନ୍ତି ମୋକିମ । କାରଣ ବିଜେଡ଼ି ଓ କଂଗ୍ରେସର ଆଉ ସେଭଳି ସ୍ଥିତି ନାହିଁ । ତାଙ୍କର ସିଧାସଳଖ ଲଢ଼େଇ ବିଜେପି ସହିତ ହେବ । ଲୋକଙ୍କ ସୁବିଧା ଅସୁବିଧାକୁ ନେଇ ଦଳ ପ୍ରତିବାଦ କରିବ । ଆସନ୍ତା ପୌର ନିର୍ବାଚନ ଓଡ଼ିଶା ଜନତା କଂଗ୍ରେସ ପାଇଁ ଏକ ମାପ କାଠି ହେବ । ଆସନ୍ତା ଉତ୍କଳ ଦିବସରେ କଟକରେ ଦଳର କାର୍ଯ୍ୟକ୍ରମ ରହିଛି । ତେଣୁ ସେହିଦିନ କହିବ କେଉଁମାନେ ଦଳରେ ଅଛନ୍ତି ଏବଂ କେଉଁମାନେ ନାହାଁନ୍ତି ।