ମୟୁରଭଞ୍ଜ: ଏକ ଘରୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ୱାର୍ଡେନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରାସ୍ତା ମଝିରେ ଦୁଇ ଜଣଙ୍କୁ ଅତି ନିର୍ମମଭାବେ ହାଣିଦେଲେ ଦୁର୍ବୃତ୍ତ । ଫଳରେ ୱାର୍ଡେନଙ୍କର ମୃତ୍ୟୁ ହୋଇଥିବା ପ୍ରଧାନ ଶିକ୍ଷୟତ୍ରୀ ଗୁରୁତର ଅଛନ୍ତି । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଗଡଦେଉଳିଆ ଛକରେ ଥିବା ଏକ ଘରୋଇ ବିଦ୍ୟାଳୟ ନିକଟରେ । ମୃତକ ହେଲେ ବଡସାହି ଥାନା ମାଣତ୍ରି ଫାଣ୍ଡି ଅନ୍ତର୍ଗତ ଧନାପାଲ ଅଞ୍ଚଳର ସନ୍ୟାସୀ ଦାସ(୫୦)। ଆହତ ମହିଳା ହେଲେ ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ରାଉତ (୬୦)।
ବିଦ୍ୟାଳୟର ମାଲିକ ଡଃ ବିଜୟ ରାଉତଙ୍କ ଅଭିଯୋଗ ମୁତାବକ, ଗତକାଲି ରାତିରେ ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ରାଉତଙ୍କ ଦେହ ଖରାପ ହେବାରୁ ୱାର୍ଡେନ ସନ୍ୟାସୀ ଦାସ ତାଙ୍କୁ ବାଇକରେ ଏକ ନିକଟସ୍ଥ ଔଷଧାଳୟକୁ ଯାଉଥିଲେ । ବିଦ୍ୟାଳୟରୁ ମାତ୍ର ଶହେ ମିଟର ଦୂରରେ କେହି ଦୁର୍ବୁତ୍ତ ମରଣାନ୍ତ୍ରକ ଆକ୍ରମଣ କରିଥିଲା । ଫଳରେ ଉଭୟ ଗୁରୁତର ହୋଇପଡ଼ିଥିଲେ । ଉଭୟଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ୱାର୍ଡେନଙ୍କୁ ମୃତ ଘୋଷଣା କରିଥିଲେ । ଏହା ସହିତ ଗୁରୁତର ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
କିଏ ଓ କାହିଁକି ଆକ୍ରମଣ କଲା ତାହା କିଛି ସ୍ପଷ୍ଟ ହୋଇ ନାହିଁ । ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ତଦନ୍ତ ଆରମ୍ଭ କରିଛି ।