ନୂଆଦିଲ୍ଲୀ: ମାର୍ଚ୍ଚ ୨୦ରେ ସୋସିଆଲ ମିଡିଆରେ ପୂର୍ବତନ କ୍ରିକେଟ୍ ତଥା ବରିଷ୍ଠ ଭାଷ୍ୟକାର ଲକ୍ଷ୍ମଣ ଶିବରାମକୃଷ୍ଣନ ବିସିସିଆଇର କମେଣ୍ଟ୍ରି ପ୍ୟାନେଲରୁ ଅବସର ଘୋଷଣା କରିଥିଲେ । ଏହା ସହିତ ସେ ବିସିସିଆଇ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଥିଲେ । ସେ କହିଥିଲେ, ମୁଁ ୨୩ ବର୍ଷ ଧରି କମେଣ୍ଟ୍ରି କଲି, ମାତ୍ର ମୋତେ ଟସ୍ ପ୍ରେଜେଣ୍ଟେସନ କିମ୍ବା ପିଚ୍ ରିପୋର୍ଟର ସୁଯୋଗ ଦିଆଗଲା ନାହିଁ । ଏପରିକି ରବି ଶାସ୍ତ୍ରୀ ଯେବେ ଟିମ୍ ଇଣ୍ଡିଆର କୋଚ୍ ଥିଲେ, ସେହି ସମୟରେ ମଧ୍ୟ ତାଙ୍କୁ କମେଣ୍ଟ୍ରି ରୁମରେ ସୀମିତ ରଖାଯାଇଥିଲା । ବୋର୍ଡ ଉପରେ ସେ ରଙ୍ଗଭେଦର ଅଭିଯୋଗ ଲଗାଇଥିଲେ । କିନ୍ତୁ ଏହାର ପରବର୍ତ୍ତୀ ଦିନ ଅର୍ଥାତ ମାର୍ଚ୍ଚ ୨୧ରେ ଆଉ ଏକ ପୋଷ୍ଟ କରି କହିଛନ୍ତି ଯେ, ବୋର୍ଡର ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ସଂପର୍କ ଠିକ ନ ଥିଲା ।
ଏକ୍ସରେ ଯେେବେ ଲକ୍ଷ୍ମଣ ଶିବରାମକୃଷ୍ଣନଙ୍କ ଅବସରକୁ ନେଇ ଚର୍ଚ୍ଚା ହେଲା ପ୍ରଶଂସକ ବିସିସିଆଇକୁ ଘେରିଥିଲେ । ଏହି ସମୟରେ ସେ ଆଉ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ବିସିସିଆଇ ପ୍ରଶାସନକୁ ଏହି ମାମଲାରେ ଟାଣନ୍ତୁ ନାହିଁ । ଏହା ବିସିସିଆଇର ଜଣେ କର୍ମଚାରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ମାମଲା । ଜୟ ଶାହଙ୍କ କମ୍ପାନିଙ୍କ ଏହି ମାମଲାରେ କୌଣସି ନେଣଦେଣ ନାହିଁ । ମୁଁ ନିଜ ଜୀବନରେ ନିଜକୁ ନିୟନ୍ତ୍ରଣ କରୁଛି ଏବଂ ମୋତେ ଲାଗୁଛି ମୋତେ ଏମିତି କରିବାର ଅଧିକାର ରହିଛି ।
ଶିବରାମକୃଷ୍ଣନ ୧୯୮୦ର ଦଶନ୍ଧିର ଆରମ୍ଭରେ ୧୭ ବର୍ଷ ବୟସରେ ନିଜର ଦମଦାର ଲେଗ୍ ସ୍ପିନ, ଗୁଗଲି ବଳରେ ସଭିଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ହେଲେ ତାଙ୍କର କ୍ରିକେଟ୍ କ୍ୟାରିୟର ଲମ୍ବା ନ ଥିଲା । କିନ୍ତୁ ପରେ ସେ ଭାଷ୍ୟକାର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଶିବରାମକୃଷ୍ଣନ ଏକ୍ସରେ ଗୋଟିଏ ପରେ ଗୋଟିଏ ଅନେକ ପୋଷ୍ଟ କରି ନିଜର ନିରାଶ ବ୍ୟକ୍ତ କରିଥିଲେ । ଏଥିରୁ ସ୍ପଷ୍ଟ ହୋଇଛି ଯେ, ସେ ନିଜ କାମରେ ସନ୍ତୁଷ୍ଟ ନ ଥିଲେ ।
୬୦ ବର୍ଷୀୟ ଶିବରାମକୃଷ୍ଣନ ଦୁଇ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ କମେଣ୍ଟ୍ରି ବକ୍ସରେ ଖୋଲାଖୋଲି ନିଜର ବିଚାର ବ୍ୟକ୍ତ କରିବା ପାଇଁ ପରିଚିତ । ସେ ଭାରତ ପକ୍ଷରୁ ୧୯୮୩ରୁ ୧୯୮୬ ମଧ୍ୟରେ ୯ଟି ଟେଷ୍ଟ ଏବଂ ୧୬ଟି ଦିନିକିଆ ଖେଳିଛନ୍ତି । ୨୦୦୦ ମସିହାରେ ସେ କମେଣ୍ଟ୍ରି ଦୁନିଆରେ ପାଦ ଦେଇଥିଲେ । ସେ ଆଇସିସି କ୍ରିକେଟ୍ କମିଟିରେ ଖେଳାଳି ପ୍ରତିନିଧି ରୂପେ ମଧ୍ୟ କାମ କରିଛନ୍ତି ।
Also read: ପୁଣି ଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଏହି ଦେଶରେ ଖେଳିବେ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵି