ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ପ୍ରସ୍ତୁତି ଏବଂ ରାଷ୍ଟ୍ର ନିର୍ମାଣରେ ଯୁବକଙ୍କ ଭାଗିଦାରୀକୁ ନୂତନ ଦିଗ ଦେବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବଡ ଘୋଷଣା କରିଛନ୍ତି । ସୈନିକ ସ୍କୁଲ ଘୋଡାଖାଲର ଡାଇମଣ୍ଡ ଜୁବୁଲୀ ସମାରୋହକୁ ସମ୍ବୋଧିତ କରି ସମଗ୍ର ଦେଶରେ ୧୦୦ ନୂଆ ସୈନିକ ସ୍କୁଲ ଖୋଲିବା ଏବଂ ଏନସିସି କ୍ୟାଡଟ ସଂଖ୍ୟା ବଢାଇବାକୁ ଘୋଷଣା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଯୁବ ପିଢିଙ୍କୁ ଅନୁଶାସନ, ନେତୃବ୍ୱ ଓ ଦେଶଭକ୍ତିର ମୂଳ୍ୟବୋଧକୁ ସମାହିତ କରିବା ଉଦ୍ଦେଶ୍ୟରେ ଏନସିସିର ବିସ୍ତାର ଘୋଷଣା କରିଛନ୍ତି ।
ସେ କହିଛନ୍ତି, ଆମେ ଏନସିସିରେ ପଦ ସଂଖ୍ୟା ବୃଦ୍ଧି କରିଛୁ । ପ୍ରଥମେ ଭର୍ତ୍ତି ଲକ୍ଷ୍ୟ ୧୭ ଲକ୍ଷ ଥିଲା ଏବେ ଏହାକୁ ବଢାଇ ୨୦ ଲକ୍ଷ କରିବାକୁ ନିର୍ଣ୍ଣୟ ନିଆଯାଇଛି । ଏଥିରେ ଅଧିକରୁ ଅଧିକ ରାଷ୍ଟ୍ର ନିର୍ମାଣ ପାଇଁ ଆବଶ୍ୟକ ସଂସ୍କାର ଶିଖାଇବା ଉପରେ ଗୁରୁତ୍ୱ ଦିଆଯିବ । ଏହି ଦିଗରେ ଅଗ୍ରସର ହେବାକୁ ସେ ଯୁବ ପିଢିଙ୍କୁ ପରାମର୍ଶ ଦେଇଛନ୍ତି ।
ଏହା ସହିତ ଦେଶରେ ନୂଆ ୧୦୦ ସୈନିକ ସ୍କୁଲ ସ୍ଥାପନ କରାଯିବ । ଏହି ସଂସ୍ଥା କେବଳ ପ୍ରତିରକ୍ଷା ପାଇଁ ଯୁବ ପିଢିକୁ ପ୍ରସ୍ତୁତ କରେ ନାହିଁ ବରଂ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱକାରୀ ଭୂମିକା ନିର୍ବାହ ପାଇଁ ପିଲାଙ୍କୁ ସକ୍ଷମ କରିଥାଏ । ସୈନିକ ସ୍କୁଲରେ ଝିଅଙ୍କ ପ୍ରବେଶ ଅନୁମତି ଦେବା ସରକାରଙ୍କ ନିଷ୍ପତ୍ତିକୁ ସେ ଐତିହାସିକ ଓ କ୍ରାନ୍ତିକାରୀ ଦର୍ଶାଇଛନ୍ତି । ଏହା ମହିଳା ସଶକ୍ତିକରଣ ଦିଗରେ ଏକ ବଡ ପଦକ୍ଷେପ ବୋଲି ରାଜନାଥ କହିଛନ୍ତି ।
Also read: କେରଳ ଓ ପୁଡୁଚେରୀ ପାଇଁ ପ୍ରାର୍ଥୀ ଜାରି କଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍ ?