ମୟୁରଭଞ୍ଜ: ନିଖୋଜ ଝିଅକୁ ଖୋଜି ଖୋଜି ନୟାନ୍ତ ହୋଇଥିବାବେଳେ ଘର ଠାରୁ ମାତ୍ର ୫୦୦ ମିଟର ଦୂରରୁ ମିଳିଛି ମୃତଦେହ । ଦୁଇ ଦିନ ହେବ ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ଅଖା ଭିତରୁ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହର ବଣସାହିରେ ଥିବା ବନ ବିଭାଗ କାଠ ଡିପୋ ପଛପଟେ ଥିବା ଏକ ବାଉଁଶ ବୁଦା ମୂଳରୁ ଅଖା ଭିତରୁ ନାବାଳିକାଙ୍କ ମୃତ ଦେହ ମିଳିଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପରିବାର ଲୋକଙ୍କ କହିବା ମୁତାବକ, ଗତକାଲି ସନ୍ଧ୍ୟା ୭ଟା ଯାଏ ଅଷ୍ଟମ ଶ୍ରେଣୀ ନାବାଳିକା ଛାତ୍ରୀ ଜଣଙ୍କ ଘରେ ଥିଲେ । ଏହା ପରେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଝିଅକୁ ନ ପାଇ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ସକାଳୁ ବନ ବିଭାଗ କାଠ ଡିପୋ ପଛପଟେ ଥିବା ଏକ ବାଉଁଶ ବୁଦା ମୂଳରୁ ଅଖାରେ ଭର୍ତ୍ତି ହୋଇଥିବା ନାବାଳିକାଙ୍କ ମୃତଦେହ ମିଳିଛି । ପ୍ରାଥମିକ ତଦନ୍ତରୁ ତାଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । କରଞ୍ଜିଆ ପୋଲିସ ଓ ବନ ବିଭାଗ ଟିମ୍ ଛାନଭିନ ଆରମ୍ଭ କରିଛନ୍ତି । ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।