କେନ୍ଦୁଝର: କୋମଳ ମତି ବୟସରେ ବର୍ବର କାଣ୍ଡ । ଜଣେ ପ୍ରଥମ ଶ୍ରେଣୀ ଛାତ୍ରକୁ ଚତୁର୍ଥ ଶ୍ରେଣୀର କିଛି ଛାତ୍ର ଅମାନୁଷିକ ନିର୍ଯାତନା ଦେଇଛନ୍ତି । ଗୁପ୍ତାଙ୍ଗରେ ଜରି ବାନ୍ଧି ନିଆଁ ଲଗାଇ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ତୋରାଣୀ ପୋଖରୀ ଆଶ୍ରମ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ବିଜୁ ମୁଣ୍ଡାଙ୍କ ପୁଅ ତୋରାଣୀ ପୋଖରୀ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଢ଼ନ୍ତି । ଗୁରୁବାର ସନ୍ଧ୍ୟା ୭ଟାରୁ ୮ ମଧ୍ୟରେ ଚତୁର୍ଥ ଶ୍ରେଣୀର କିଛି ଛାତ୍ର ଜଣେ ପ୍ରଥମ ଶ୍ରେଣୀର ଛାତ୍ରକୁ ଅମାନୁଷିକ ନିର୍ଯାତନା ଦେଇଛନ୍ତି । କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ହେବାରୁ ଛାତ୍ର ଜଣକୁ ଉପର ଶ୍ରେଣୀର ଛାତ୍ରମାନେ ପ୍ରଥମେ ମାଡ଼ ମାରିଥିଲେ । ତାଙ୍କ ଆଖି ପତାରେ ଗଭୀର ଆଘାତ ଲାଗିଛି । ଏ ନେଇ ଶିକ୍ଷକ ଜାଣିବା ପରେ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଶୁକ୍ରବାର ସକାଳେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହା ପରେ ପରିବାର ଲୋକେ ପିଲାକୁ ମେଡ଼ିକାଲରୁ ନେଇ ଘରକୁ ଚାଲିଯାଇଥିଲେ ।
ପରବର୍ତ୍ତୀ ସମୟରେ ତାର ମାଆ ପିଲାର ପୋଷାକ ବଦଳାଉଥିବାବେଳେ ଗୁପ୍ତାଙ୍ଗରେ ନିଆଁ ଚେଙ୍କ ଦିଆଯାଇଥିବା ଦେଖିବାକୁ ପାଇଥିଲେ । ଛାତ୍ରମାନେ ଗୁପ୍ତାଙ୍ଗରେ ଏକ ଜରି ବାନ୍ଧି ନିଆଁ ଲଗାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏହା ପରେ ତୁରନ୍ତ ପାଟଣା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ ଘଟଗାଁ ପୋଲିସକୁ ଖବର ଦେବା ପରେ ତଦନ୍ତ ଆରମ୍ଭ ହୋଇଛି । ଆହତ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଅଧିକ ଚିକିତ୍ସା କରାଯାଉଛି ।