ଢେଙ୍କାନାଳ: ତିନି ଦିନ ହେଲାଣି ଭୋକ ଉପାସରେ ସ୍କୁଲ ପିଲା । ଢେଙ୍କାନାଳ ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରୁ ଆସିଛି ଏଭଳି ସଙ୍ଗିନ ଅଭିଯୋଗ । ବିଦ୍ୟାଳୟର ପ୍ରାୟ ୧୨ ଜଣ ପିଲା ଅଖିଆ ଅପିଆ ରହିଥିବା ଅଭିଯୋଗ ହୋଇଛି। ଶେଷରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଏନେଇ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର ଟ୍ରେଜରର୍ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦେବାକୁ ମନା କରୁଛନ୍ତି । ବିଦ୍ୟାଳୟ କମିଟିକୁ ଭଙ୍ଗାଯାଇ ତୁରନ୍ତ ନୂତନ ଦାୟିତ୍ୱ ଜିଲ୍ଲା ରେଡକ୍ରସକୁ ଦିଆଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏପଟେ ଶିକ୍ଷକଙ୍କ କହିବା କଥା ସରକାରଙ୍କ ପକ୍ଷରୁ ପିଲାଙ୍କ ଖାଇବା ବାବଦରେ ଟଙ୍କା ଆସୁଛି । ଅକ୍ଷମ କଲ୍ୟାଣ ସମିତି ଓ ବିଦ୍ୟାଳୟ କମିଟି ଏସବୁ ବୁଝିବା କଥା। କିନ୍ତୁ କମିଟିର ସଭାପତି ଓ ସମ୍ପାଦକଙ୍କର ଦେଖା ନଥିବା ବେଳେ ଟ୍ରେଜେରର୍ ଏବେ ସର୍ବେସର୍ବା ହୋଇଛନ୍ତି। ଗତ ପାଞ୍ଚ ବର୍ଷରେ ପିଲାଙ୍କ ଖାଇବା ବାବଦରେ ଆସିଥିବା ଟଙ୍କା ମଧ୍ୟ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ସ୍କୁଲ ଶିକ୍ଷକ। ତିନି ଦିନ ହେଲାଣି ପିଲାଙ୍କୁ କାହିଁକି ଖାଇବାକୁ ଦିଆ ଯାଉନାହିଁ ତାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ଶିକ୍ଷକ।
ଏ ନେଇ ସମସ୍ତ ଛାତ୍ରଛାତ୍ରୀ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛି । ସ୍କୁଲ କମିଟି ଓ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯାଳୟକୁ ପିଲାଙ୍କ ଖାଇବା ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ କହିଛନ୍ତି । ତା ସହିତ ସ୍କୁଲ କମିଟି ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ନେଇ ତଦନ୍ତ କରାଯାଉଛି । ଅର୍ଥ ହେରଫେର ମାମଲାରେ ଏକ ସ୍ପେଶାଲ ଅଡିଟ୍ ପାଇଁ ବିଭାଗକୁ କୁହାଯାଇଛି । ରେଡକ୍ରସ ବିଦ୍ୟାଳୟ ଦାୟିତ୍ୱ ନେବା ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯାହା ଆଇନ ମୁତାବକ ହୋଇପାରିବ ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶ୍ଚୟ କରାଯିବ ।