ଢେଙ୍କାନାଳ: ସର୍ବଭାରତୀୟ ସଂଯୋଜିତ ମହୁମାଛି ଓ ପରାଗ ସାଙ୍ଗମକାରୀ କୀଟ ପ୍ରକଳ୍ପ, ଓୟୁଏଟି ଓ କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳର ମିଳିତ ପ୍ରାୟସରେ ଦୁଇଦିନିଆ ଫେଣା ମହୁର ଉତ୍ପାଦନ କୌଶଳ ଏବଂ ଚାଷୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଢେଙ୍କାନାଳ ଜିଲ୍ଲାର 20ଜଣ ଅଗ୍ରଣୀ ମହୁ ଚାଷୀ ଅଂଶଗ୍ରହଣ କରିଥିଲେ l ଏହି ତାଲିମ କାର୍ଯ୍ୟକ୍ରମରେ ଶୁଦ୍ଧ ମହୁ ତଥା ଫେଣା ମହୁର ଗୁଣବତ୍ତା ସମ୍ପର୍କରେ ପୂର୍ବତନ ଏମେରିଟସ ବୈଜ୍ଞାନିକ ଡ଼ଃ ଚିତ୍ତରଞ୍ଜନ ଶତପଥୀ ତାଲିମ ପ୍ରଦାନ କରିଥିଲେ l ପ୍ରକଳ୍ପର ମୁଖ୍ୟ ଡ଼ଃ ପ୍ରଭାସିନୀ ବେହେରା ସ୍ୱାଗତ ଭାଷଣ ସହ ଫେଣା ମହୁର ଉତ୍ତମ ପ୍ୟାକେଜିଙ୍ଗ ଓ ବଜାର ଚାହିଦା ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ l କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ବିମଳେନ୍ଦୁ ମହାନ୍ତି ଫେଣା ମହୁକୁ ଆଦୃତ କରି ଚାଷୀମାନେ କିପରି ଆୟ ବୃଦ୍ଧି କରି ପାରିବେ ସେ ବିଷୟରେ ଆଲୋକପାତ କରିଥିଲେ l କୃଷି ବିଜ୍ଞାନ କେନ୍ଦ୍ରର ରୋଗପୋକ ବିଶେଷଜ୍ଞ ଶ୍ରୀମତି ସଂଘମିତ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l