ଗଞ୍ଜାମରେ ଅଗ୍ନିକାଣ୍ଡର ତାଣ୍ଡବ। ହୁତହୁତ ହୋଇ ଜଳିଗଲା ୨୦ ବଖରା ଘର। ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ବଡଗୋଛା ଗାଁର ହରିଜନ ସାହିରେ ହଠାତ୍ ଭୟଙ୍କର ନିଆଁ ଲାଗିଯାଇ ମୁହୂର୍ତ୍ତ ମଧ୍ୟରେ ୨୦ଟି ଘର ଜଳି ପୋଡ଼ି ଛାରଖାର ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
ସ୍ଥାନୀୟ ଲୋକେ ପ୍ରଥମେ ନିଆଁ ଲିଭାଇବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହୋଇନଥିଲେ। ପରେ ଅଗ୍ନିଶମ ବାହିନୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍କୁ ଅଗ୍ନିକାଣ୍ଡ ଘଟିଥିବା ନେଇ ଅନୁମାନ କରାଯାଉଛି।
ଅନ୍ୟପଟେ, କଟକ ଜିଲ୍ଲାର ଗୋବିନ୍ଦପୁର ଥାନା ଅଞ୍ଚଳରେ ଘଟିଛି ଆଉ ଏକ ଅଗ୍ନିକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ପଡ଼ୋଶୀଙ୍କ ଘରକୁ ନିଆଁ ଲଗାଇଦେଇଥିବା ଅଭିଯୋଗ ଆସିଛି। ଗଗନ ବିହାରୀ ପାତ୍ରଙ୍କ ଘର ସହ ଘରେ ରଖାଯାଇଥିବା ଧାନ, ଚାଉଳ, ଦୁଇଟି ବାଇକ୍ ଓ ଗୋଟିଏ ସାଇକେଲ ଏଥିରେ ସମ୍ପୂର୍ଣ୍ଣ ଜଳିଯାଇଛି। ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।