ବାଲେଶ୍ୱର; ତାଲା ଭାଙ୍ଗି ପୋଷ୍ଟ ଅଫିସରୁ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ପୋଷ୍ଟ ଅଫିସ ଭିତରକୁ ପ୍ରବେଶ କରି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବରୁଣଗଡିଆ ଡାକଘର ତାଲା ଭାଙ୍ଗି ଲୁଟ୍ ଅଭିଯୋଗ ହୋଇଛି।
ଘଟଣା ମୁତାବିକ ପୋଷ୍ଟମାଷ୍ଟର ଦେବାଶିଷ ଦତ୍ତ ଗତକାଲି ଅପରାହ୍ନରେ କାର୍ଯ୍ୟାଳୟକୁ ତାଲା ଲଗାଇ ଘରକୁ ଯାଇଥିଲେ। କିନ୍ତୁ ଆଜି ସକାଳେ ସ୍ଥାନୀୟ ଲୋକଙ୍କ ଠାରୁ ଲୁଟ ଘଟଣାର ଖବର ମିଳିବା ପରେ ସେ ଆସି ଦେଖିଥିଲେ ଯେ ତାଲା ଭାଙ୍ଗି ପଡ଼ିଛି। ଡାକଘର ତାଲା ଭାଙ୍ଗି ତଳେ ପଡ଼ିଥିବା ଦେଖି ବସ୍ତା ପୋଲିସକୁ ଖବର ଦେଇଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଡାକଘରୁ ନଗଦ ଟଙ୍କା ସହିତ ଗ୍ରାହକଙ୍କ ଜମାଖାତା ପ୍ରିଣ୍ଟର ମେସିନ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ପୋଷ୍ଟ ଅଫିସ ଭଳି ସରକାରୀ ସଂସ୍ଥାରେ ମଧ୍ୟ ଯଦି ସୁରକ୍ଷା ନଥାଏ, ତେବେ ସାଧାରଣ ଲୋକଙ୍କ ଟଙ୍କା କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି?
ପୂର୍ବମାସରେ ମଧ୍ୟ ବାରଙ୍ଗ ଥାନା ବେଲଗଛିଆ ଗ୍ରାମର ଗଜେନ୍ଦ୍ର ବେହେରାଙ୍କ ଘରୁ ସୁନା ଅଳଙ୍କାର ଲୁଟ୍ ହୋଇଥିଲା। ଘରେ ପଶି ବନ୍ଧୁକ ମୁନରେ ଲୁଟିଥିଲେ। ରାତି ପ୍ରାୟ ୯ଟା ବେଳକୁ ୭ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଗଜେନ୍ଦ୍ରଙ୍କ କବାଡ଼ ବାଡେଇ ପାଣି ମାଗିଥିଲେ। ଘର କବାଟ ଖୋଲିବା ପରେ ଗଜେନ୍ଦ୍ରଙ୍କୁ ଧକ୍କା ଦେଇ ଘର ଭିତରକୁ ମାରଣାସ୍ତ୍ର ନେଇ ପଶି ଯାଇଥିଲେ। ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ। ବାରବମ୍ବର ଅଞ୍ଚଳରେ ଲୁଟ ଏବଂ ପୋଲିସର ଢିଲା ପାଟ୍ରୋଲିଂ ନେଇ ପ୍ରଶ୍ନ ଉଠିଛି।