ଭୁବନେଶ୍ୱର: ରାଜ୍ୟରେ ବିକାଶ କାମକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ସେବା ଯୋଗାଣ ସୁଦୃଢ଼ କରିବା ସହ ପ୍ରକଳ୍ପ ଓ ଯୋଜନାଗୁଡ଼ିକୁ ସମୟମଧ୍ୟରେ ସମାପ୍ତ କରିବାକୁ, ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ଆର୍ଥିକ କ୍ଷମତାକୁ ବ୍ୟାପକ ଭାବେ ବଢ଼ାଯାଇଛି।
୧୯୭୮ ମସିହାର ଆର୍ଥିକ କ୍ଷମତା ପ୍ରତିନିଧିତ୍ଵ ନିୟମାବଳୀ ବା DFPR (Delegation of Financial Powers Rules)ରେ ସଂଶୋଧନ କରାଯାଇଛି। ଫଳରେ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦାଧିକାରୀଙ୍କ ଖର୍ଚ୍ଚ କରିବାର କ୍ଷମତାକୁ ବହୁଗୁଣିତ ହୋଇଛି।
ଅର୍ଥ ବିଭାଗର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ:
ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍ ଏବେ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚକୁ ସିଧାସଳଖ ଅନୁମୋଦନ କରିପାରିବେ।
👉 ମନ୍ତ୍ରୀମାନେ ୫୦ କୋଟି (ସାମଗ୍ରୀ) ଓ ୧୦ କୋଟି (ପରାମର୍ଶ/ଆଉଟସୋର୍ସିଂ) ପର୍ଯ୍ୟନ୍ତ ମଞ୍ଜୁର କରିପାରିବେ।
👉 ସଚିବମାନେ ୨୦ କୋଟି ଓ ୫ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମୋଦନ କରିପାରିବେ।
👉 ବିଭାଗୀୟ ମୁଖ୍ୟମାନେ ମଧ୍ୟ ୧୦ କୋଟି ପର୍ଯ୍ୟନ୍ତ ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ।
ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ପ୍ରଶାସନିକ ସଚିବମାନଙ୍କୁ ଏଥର ପୂର୍ଣ୍ଣ ଆର୍ଥିକ କ୍ଷମତା ଦିଆଯାଇଛି, ଯାହା ଫଳରେ ଫାଇଲ ଘୁରାଣି କମିବ ଓ ନିଷ୍ପତ୍ତି ଶୀଘ୍ର ହେବ। ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇ ଜଳସମ୍ପଦ, ପୂର୍ତ୍ତ ଏବଂ ଶକ୍ତି ଭଳି ବିଭାଗଗୁଡ଼ିକୁ ଯୋଗାଯୋଗ, ଜଳସେଚନ ଓ ବିଦ୍ୟୁତ ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷମତା ପ୍ରଦାନ କରାଯାଇଛି। ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନଙ୍କୁ ମଧ୍ୟ ଅଧିକ ଶକ୍ତିଶାଳୀ କରାଯାଇଛି। ଏବେ ଜିଲ୍ଲାପାଳମାନେ ଅଣ-ଆବାସିକ ଗୃହ ନିର୍ମାଣ ପାଇଁ ୮ କୋଟି ଏବଂ ପାନୀୟ ଜଳ ପ୍ରକଳ୍ପ ପାଇଁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଅନୁମୋଦନ କରିପାରିବେ। ଏହି ପରିବର୍ତ୍ତନ ଫଳରେ ସରକାରୀ ସେବା ପ୍ରଦାନ ପ୍ରକ୍ରିୟା ଅଧିକ ସହଜ ଓ ତ୍ୱରାନ୍ୱିତ ହେବ ବୋଲି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ଜଣାଇଛନ୍ତି।
ପ୍ରଶାସନିକ ବିଭାଗ ସଚିବମାନଙ୍କୁ କୌଣସି ସର୍ବୋଚ୍ଚ ସୀମା ଜାରି ନକରି ପୂର୍ଣ୍ଣ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି । ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ପାଇଁ, ଖର୍ଚ୍ଚ ସୀମା ସ୍ଥିର କରାଯାଇଛି। ରାଜସ୍ୱ ବୋର୍ଡ ସଦସ୍ୟ, PCCF, ଏବଂ ପୋଲିସ ଡିଜି/ଆଇଜି ଯଥାକ୍ରମେ ୮୦ ଲକ୍ଷ ଟଙ୍କା ଏବଂ ୪ କୋଟି ଟଙ୍କା (ବର୍ଗ ଅନୁସାରେ)। RDC ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ୪୦ ଲକ୍ଷ ଟଙ୍କାରୁ ୨ କୋଟି ଟଙ୍କା ମଧ୍ୟରେ ଅନୁମୋଦନ କରିପାରିବେ।
୧୯୭୮ ର ଆର୍ଥିକ କ୍ଷମତା ନିୟମରେ ସଂଶୋଧନ କରାଯାଇଥିବା ଏହି ନୂଆ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ହେବ।
- ଆବାସିକ ଭବନ ପାଇଁ ୧୫ କୋଟି
- ଅଣ-ଆବାସିକ ପ୍ରକଳ୍ପ ପାଇଁ ୨୪ କୋଟି
- ପାନୀୟ ଜଳ, ବିଦ୍ୟୁତ, ଯୋଗାଯୋଗ ଇତ୍ୟାଦି ପାଇଁ ୧୦ କୋଟି ପର୍ଯ୍ୟନ୍ତ ଅନୁମୋଦନ
ଫଳ କ’ଣ ହେବ?
- ପ୍ରକଳ୍ପରେ ବିଳମ୍ବ କମିବ
- ଶାସନ ଦକ୍ଷତା ବଢ଼ିବ
- ଲୋକଙ୍କୁ ଶୀଘ୍ର ସେବା ମିଳିବ