ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲାରେ ୪୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ମୟୁରଭଞ୍ଜ ଆଦିବାସୀ ଏକତା ମଞ୍ଚ ପକ୍ଷରୁ ଗିରଫ ୩୪ ଜଣ ଆଦିବାସୀଙ୍କୁ ମୁକ୍ତ କରିବା ଦାବିରେ ବନ୍ଦ ଡାକରା ଦିଆଯାଇଛି । ବିଶୋଇ, ରାଇରଙ୍ଗପୁର, ବହଳଦା ଓ ତିରିଂ ଆଦି ଅଞ୍ଚଳରେ ବନ୍ଦର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କୌଣସି ଗୋଟିଏ ଗାଡ଼ିକୁ ମଧ୍ୟ ଆନ୍ଦୋଳନକାରୀ ଛାଡ଼ୁ ନାହାଁନ୍ତି । ୨୨୦ ନମ୍ବର ଜାତୀୟ ରାଜପଥ ଉପରେ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ଗତ କିଛିଦିନ ତଳେ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଝୁଆ ଗ୍ରାମରେ ଏ ନାବାଳିକା ଅସଦାଚରଣ ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଜଣେ ସଂଖ୍ୟାଲଘୁ ଯୁବକ ଜନୈକା ଆଦିବାସୀ ନାବାଳିକାକୁ ଅସଦାଚରଣ ଉଦ୍ୟମ କରିବାରୁ ତୁମୁଳ କାଣ୍ଡ ହୋଇଥିଲା । ନାବାଳିକାଟି ବିଞ୍ଝୁଆ ଗ୍ରାମରେ ଥିବା ଜନସେବା କେନ୍ଦ୍ରରୁ ଟଙ୍କା ନେଇ ଫେରୁଥିବା ସମୟରେ ଗାଁ ମୁଣ୍ଡରେ ଥିବା ସ୍କୁଲ ନିକଟରେ ଉକ୍ତ ଗ୍ରାମର ସଂଖ୍ୟାଲଘୁ ସଂମ୍ପ୍ରଦାୟର ସେକ୍ ଇସମାଇଲଙ୍କ ପୁଅ ସେକ୍ ଛୋଟୁ ନାବାଳିକାକୁ ଅସଦାଚରଣ କରିଥିଲା । ନାବାଳିକା ଚିତ୍କାର କରିବାରୁ ପାଟି ଶୁଣି ଗାଁ ଲାକେ ଦୌଡି ଆସିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା । ମାମଲାର ଯାଞ୍ଚ ପାଇଁ ଯାଇଥିବା ବେଳେ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏପରିକି ପୋଲିସକୁ ଲୋକେ ଆକ୍ରମଣ କରିଥିଲେ । ଏହି ଘଟଣାରେ ପୋଲିସ ୩୪ ଜଣ ଆଦିବାସୀଙ୍କୁ ଗିରଫ କରିଛି ।