ଆଜି ବିଶ୍ଵ ପଖାଳ ଦିବସ। ଏବେ କିଛିବର୍ଷ ହେବ ଏହି ଦିବସ ସବୁଆଡେ ପାଳିତ ହେଉଥିବା ବେଳେ ପୁରୀରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହାକୁ ପାଳନ କରାଯାଇଛି। ତେବେ କେଉଁ ଆବାହନ କାଳରୁ ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ପାଖରେ ଭୋଗ ହୋଇଥାଏ ଦହିପଖାଳ। ଏହି ଦହିପଖାଳର ପ୍ରସ୍ତୁତି ସ୍ୱତନ୍ତ୍ର ନିଆରା। ମାନବୀୟ ଉପଚାରର ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଭୋଜନ ପ୍ରିୟ ଠାକୁର। ବଲ୍ଲଭ ଭୋଗ ଠାରୁ ବଡ଼ସିଂହାର ଭୋଗ ଭିତରେ ତିନିଥର ଦହିପଖାଳ ଭୋଗ ହୋଇଥାଏ ମହାପ୍ରଭୁଙ୍କ ପାଖରେ। ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ସିଂହାର ଭୋଗରେ ଏହି ଦହିପଖାଳ ଭୋଗ ହୋଇଥାଏ। ଏହାର ପ୍ରସ୍ତୁତି ମଧ୍ୟ ସ୍ୱତନ୍ତ୍ର ଓ ନିଆରା। କୋଠ ଭୋଗ ସୁଆର ଅନ୍ନ ରାନ୍ଧିବା ପରେ ଏଥିରେ ଦହି ସହ ଜିରା, ଅଦା, ଲବଣ, ଶର୍କରା ସହ ଧୃତ ମିଶାଯାଇଥାଏ। କେଉଁ ଆବାହନ କାଳରୁ ଶ୍ରୀମନ୍ଦିରରେ ଦହିପଖାଳ ପରମ୍ପରା ଅନୁସାରେ ଚାଲିଆସିଛି ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ସେବାୟତ।
ମହାପ୍ରଭଉ ଖାଉଥିବା ପଖାଳ ଟିକେ ନିଆରା । ଆନନ୍ଦ ବଜାରରେ ରନ୍ଧା ଅବଢ଼ା ଅନ୍ନରେ ଦହି, କଞ୍ଚା ଲଙ୍କା, ଲେମ୍ବୁ, ଅଦା, ଭୃଷୁଙ୍ଗା ପତ୍ର ଓ ଜିରା ଗୁଣ୍ଡ ଆଦି ମିଶାଇ ମିଳିଥାଏ ଟଙ୍କ ତୋରାଣି ।ଏହାକୁ ପାନ କରିବାରେ ସ୍ୱତନ୍ତ୍ର ଆନନ୍ଦ ଅନୁଭୂତ ହୁଏ ଏବଂ ଏହାର ସ୍ୱାଦ ଅନନ୍ୟ ହୋଇଥାଏ ।ତେଣୁ ଶ୍ରୀମନ୍ଦିରରେ ପ୍ରସ୍ତୁତ ଏହି ଟଙ୍କ ତୋରାଣୀରୁ ହିଁ ଏହି ପଖାଳ ଦିବସ ପାଇଁ ପ୍ରେରଣା ମିଳେ । ଦହି ,ଜୀରା,ଘୃତ,ଇତ୍ୟାଦିରେ ପ୍ରସ୍ତୁତ ନୈବେଦ୍ୟ ପଖାଳରେ ବଡ ଠାକୁରଙ୍କର ରୁଚି ରହିଥାଏ । ଓଡ଼ିଆରେ କଥା ରହିଛି “ପଖାଳ ଭାତରେ ଘି,ତୁମ ବାପା ଖାଇଥିଲେ କି” । ଶ୍ରୀକ୍ଷେତ୍ରରେ କିନ୍ତୁ ଜଗତର ପିତା ଜଗନ୍ନାଥ ଏହି ଘିଅ ପଖାଳ ଖାଇବାର ଅନନ୍ୟ ପରମ୍ପରା ଦେଖିବାକୁ ମିଳେ। ଖାଲି କାଳିଆ ଠାକୁର କାହିଁକି ଜଗତଜନନୀ ମହାଲକ୍ଷ୍ମୀଙ୍କ ପାଖରେ ମଧ୍ୟ ଭୋଗ ହୁଏ ପଖାଳ । ମାର୍ଗଶୀର ମାସ ମାଣବସା ଗୁରୁବାର ଓଷାରେ ମହାଲକ୍ଷ୍ମୀଙ୍କଠାରେ ପଖାଳ ଓ ଭୋଗ ଦେବାର ପରମ୍ପରା ମଧ୍ୟ ରହିଛି ।
ମହାପ୍ରଭୁଙ୍କ ପାଖେ ଲାଗି ହେଉଥିବା ପଖାଳର ନାଁ....
ସୁବାସ ପଖାଳ: ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି ମିଶିଥାଏ। ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷାଯାଏ। ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ।
ଚୁପୁଡା ପଖାଳ: ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡି ଦିଆଯାଏ। ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟିପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ।
ପାଣି ପଖାଳ: ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ। ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶ୍ରଣ କରାଯାଏ ନାହିଁ। ସାଧାରଣତଃ ଏହା ପ୍ରତ୍ୟକ ଓଡ଼ିଆ ଘରର ସାଧାରଣ ଖାଦ୍ୟ।
ଦହି ପଖାଳ: ସୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ। ଏଥିରେ ଦହିର ମାତ୍ରା ଅଧିକ ଥାଏ। ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପାକାଇ ପ୍ରସ୍ତୁତ କରାଯାଏ।
ମିଠା ପଖାଳ: ସାଧା ଅନ୍ନରେ ଚିନି କିମ୍ବା ଧଳା ଗୁଡ ପାକାଇ ରନ୍ଧାଯାଏ। ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରଷା ଯାଇଥାଏ।
ମଲ୍ଲିଫୁଲ ପଖାଳ: ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ । ମାତ୍ର ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରସାଯାଏ।
ଟଭା ପଖାଳ: ସାଧା ଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ। ଉପରୋକ୍ତ ପ୍ରଣାଳୀରେ ଏହି ପଖାଳ ପ୍ରସ୍ତୁତ ହୁଏ। ଏହା ମଧ୍ୟ ସୁବାସ ପଖାଳ ପର୍ଯ୍ୟାୟଭୁକ୍ତ।
ଘିଅ ପଖାଳ: ସାଧାଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ। ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ।