ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ। ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ପାଖାପାଖି ଅନେକଗୁଡ଼ିଏ ଦୋକାନ ଏଠାରେ ରହିଛି, ତେଣୁ ନିଆଁ ବ୍ୟାପିବାର ଆଶଙ୍କା ରହିଛି। କିନ୍ତୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପୁରା ପ୍ରୟାସ ଚଳାଇଛନ୍ତି। ଟେଡି ଦୋକାନରେ ନିଆଁ ଲାଗିଛି। ନୁଆ କରି ଦୋକାନ ଖୋଲିଥିବା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଟେଡି ଓ ଖେଳନା ଯୋଗୁ ନିଆଁ ମାତ୍ରାଧିକ ଭାବେ ବ୍ୟାପିଛି। ନିଆଁ ଲିଭା କାର୍ଯ୍ୟରେ ୪ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।
ରାଜଧାନୀରେ ଲଗାତାର ଅଗ୍ନିକାଣ୍ଡ ଘଟଣା ଚିନ୍ତା ବଢ଼ାଇଛି। ଗତ କିଛି ଦିନ ତଳେ ଲିଙ୍ଗିପୁର ସୁପରମାର୍କେଟ୍ରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଏଯାଏଁ ସ୍ମୃତି ମନରୁ ଲିଭିନଥିବା ବେଳେ ଆଜି ପୁଣି CRP ଛକରେ ଏମିତି ଘଟଣା ଲୋକମାନଙ୍କୁ ଭୟଭୀତ କରିଛି। ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି, “ନିଆଁ ହଠାତ୍ ଭାବେ ଲାଗିଥିଲା ଏବଂ କିଛି ସମୟ ମଧ୍ୟରେ ଏହା ବହୁତ ବଡ଼ ଆକାର ନେଇଥିଲା।” ଚାରିଆଡେ ଧୁଆଁମୟ ହୋଇଯାଇଥିଲା। ଏପର୍ଯ୍ୟନ୍ତ କେତେ କ୍ଷୟକ୍ଷତି ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନି, କିନ୍ତୁ ବଡ଼ ଆର୍ଥିକ କ୍ଷତି ହେବାର ଆଶଙ୍କା କରାଯାଉଛି।
ଗତ କିଛି ଦିନ ତଳେ ଭୁବନେଶ୍ୱରର ଲିଙ୍ଗିପୁର ସୁପରମାର୍କେଟରେ ବି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା। ଦୀର୍ଘ ୨୧ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏକ ପାଞ୍ଚ ମହଲା ଘରର ତୃତୀୟ ମହଲରୁ ସର୍ଟ ସର୍କିଟ ଯୋଗୁଁ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ପ୍ରାୟ ୭୦ ରୁ ଅଧିକ କର୍ମଚାରୀ, ୧୦ଟି ଦମକଳ ଗାଡି, ୫୦ରୁ ଅଧିକ ପାଣି ଟ୍ୟାଙ୍କର, ରୋବୋଟିକ୍ ଟେକ୍ନୋଲୋଜି ଏବଂ ଫୋମ ବ୍ୟବହାର ସହ ସନ୍ଧ୍ୟାବେଳେ ବର୍ଷା ଯୋଗୁଁ ନିଆଁ ଲିଭିଥିଲା।