ଅଦିନିଆ ରଥଯାତ୍ରା ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନର ପ୍ରୟାସ।
ଶ୍ରୀମନ୍ଦିର ପରମ୍ପରା ଓ ପର୍ବପର୍ବାଣୀକୁ ନେଇ ପଠାଯିବ ମାର୍ଗଦର୍ଶିକା। ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତା ହୋଇଛି ଏପରି ନିଷ୍ପତି। ଭାରତ ବାହାରେ ବିନା ଗୁଣ୍ଡିଚା ଯାତ୍ରା ତିଥିରେ ଯେଉଁଭଳି ରଥଯାତ୍ରା ସବୁ ଦେଖିବାକୁ ମିଳୁଥିଲା, ସେସବୁ ବନ୍ଦ ହେବ। ଧାର୍ମିକ ପରମ୍ପରାକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ଶ୍ରୀମନ୍ଦିର ରୀତିନୀତି ,ପରମ୍ପରା ଓ ପର୍ବପର୍ବାଣୀକୁ ନେଇ ପ୍ରସ୍ତୁତ ମାର୍ଗଦର୍ଶିକା ଓ କ୍ୟାଲେଣ୍ଡର ଭାରତ ଓ ଭାରତ ବାହାରେ ଥିବା ପ୍ରତ୍ୟେକ ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରାଯିବ।ଏହାସହ ଶ୍ରୀମନ୍ଦିର ଭିତରେ ରହିଥିବା ସମସ୍ତ ଶିଳାଲେଖ ଆଉ ଥରେ ଐତିହାସିକଙ୍କ ଦ୍ବାରା ତର୍ଜମା କରାଯାଇ ସବିଶେଷ ତଥ୍ୟ ପ୍ରଦାନ କରାଯିବା ନେଇ ଧାର୍ଯ୍ୟ ହୋଇଛି ।
ସେହିପରି ସ୍କନ୍ଦ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟ ଇଂରାଜୀରେ ଅନୁବାଦ ହୋଇଛି।ଏହାକୁ ବିଶ୍ବ ପରିବ୍ୟାପ୍ତ କରାଯିବ।ଏଥିସହ ସ୍କନ୍ଦ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟ ଓଡ଼ିଆ,ହିନ୍ଦୀ ,ଇଂରାଜୀ ଓ ସଂସ୍କୃତ ଆଦି ପୁସ୍ତକର ଡିଜିଟାଇଜେସନ ହେବ ।ସ୍କନ୍ଦ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟ ଅନୁବାଦରେ ୧ ହଜାର ଶ୍ଲୋକ ରହିବ। ଜଗତ ଜାଣିବ ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ର ମହିମା । ଏହାଛଡ଼ା ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ନିକଟରେ କିଭଳି ଏହି ପୁରାଣ ପହଞ୍ଚି ପାରିବ ସେଥିପାଇଁ ତାର ମୂଲ୍ୟ ବହୁତ କମ୍ କରାଯିବା ନେଇ ଆଲୋଚନା ହୋଇଛି । ସେ ସମସ୍ତ ଖର୍ଚ୍ଚ ମନ୍ଦିର ପ୍ରଶାସନ ବହନ କରିବା ସହ ଭକ୍ତ ମାନେ କମ୍ ଅର୍ଥ ପ୍ରଦାନ କରିବେ ।
ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷଣା ପ୍ରକାଶନ ଓ ପ୍ରସାର ଉପସମିତି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଭରଚୁଆଲ୍ ଯୋଗେ ଯୋଗଦେଇ ଥିବାବେଳେ ଦେବୋତ୍ତର କମିଶନର,ଛତିଶାନିଯୋଗ ମହାନାୟକ,କମିଟିର ସମସ୍ତ ସଦସ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।