କେନ୍ଦ୍ରାପଡା: ଡାଲମା ହାଣ୍ଡିରୁ ବାହାରିଲା ମଲା ସାପ। ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥl କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ଅଭାବନୀୟ ଘଟଣା ଘଟିଛି।
ଭାଗବତ ସପ୍ତାହ ଅଵସରରେ ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ପ୍ରସାଦ ରନ୍ଧା ଯାଇଥିଲା। ୪୦୦ ଲୋକଙ୍କ ପାଇଁ ପ୍ରାସାଦର ବ୍ୟବସ୍ଥା ବି ହୋଇଥିଲା। ହେଲେ ପ୍ରାସାଦ ସେବନ ବେଳେ ଡାଲମା ହାଣ୍ଡିରେ ଗୋଟିଏ ବିଷାକ୍ତ ସାପ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ଭୋଜି ଖାଇସାରିଥିବା କିଛି ଲୋକ ଭୟଭୀତ ହୋଇ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଯେଉଁମାନେ ଅସୁସ୍ଥ ହୋଇପଡ଼ିଛନ୍ତି ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଅନ୍ୟମାନେ ରକ୍ତ ପରୀକ୍ଷା କରାଇବାକୁ ଲାଇନ୍ ଲଗାଇଛନ୍ତି। ପ୍ରାୟ ୪୦ ଲୋକ ଏହି ସାପ ପଡ଼ିଥିବା ଡାଲମା ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି । ଅନ୍ୟପଟେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଛି।
ଗତ ୩ ମାସ ତଳେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବାଉଁଶପୁଟ ସରକାରୀ ୟୁପି ସ୍କୁଲରେ ସମାନ ଅଘଟଣ ଘଟିଥିଲା। ଝିଟିପିଟି ପଡ଼ିଯାଇଥିବା ବିଷାକ୍ତ ଖାଦ୍ୟ ଖାଇ ୯୮ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ। ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ବନ୍ଧୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖାଦ୍ୟରେ ଝିଟିପିଟି ପଡ଼ିଥିବା ନେଇ ଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥଲେ। ପ୍ରଧାନଶିକ୍ଷକ ତୁରନ୍ତ ମେଡିକାଲକୁ ଫୋନ କରିଥିଲେ। ବନ୍ଧୁଗାଁ ସ୍ୱାସ୍ଥ୍ୟବିଭାଗ ଟିମ୍ ସ୍କୁଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ଛାତ୍ରୀ ସୁସ୍ଥ ହୋଇଯାଇଥିଲେ।