ଏବେ ଚାଲିଛି ବିଧାନସଭା ବଜେଟ୍ ଅଧିବେଶନ। ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀଙ୍କ ହୋହଲ୍ଲା ନାରାବାଜି ଯୋଗୁଁ ସୁରୁଖୁରୁରେ ଗୃହ ଚାଲିପାରୁନି। ଆଜି ଗୃହରେ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ କରି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରି ଗୃହକୁ ଅଚଳ କରୁଛନ୍ତି ବିରୋଧୀ।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନୈତିକତା ନାହିଁ। ସେ ଇସ୍ତଫା ଦେଇ ନୀତି ନୈତିକତାର ପରିଚୟ ଦିଅନ୍ତୁ। ବିଜେଡି ସମୟରେ ଠାରେ ଘରୋଇ ହସ୍ପିଟାଲରେ ନିଆଁ ଲାଗିଲା। ସେତେବେଳେ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଏବେ ଏସସିବିର ଏତେ ବଡ ଅଗ୍ନିକାଣ୍ଡ ଘଟଣାରେ ଯଦି ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ନ ଦେବେ ତେବେ ଗୃହରେ ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ପ୍ରମିଳା।
ସେପଟେ ପ୍ରମିଳାଙ୍କୁ କଡ଼ା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ। ସେ କହିଛନ୍ତି, ଉଭୟ ବିଜେଡି ଓ କଂଗ୍ରେସର ବିଧାନସଭା ଚଳାଇ ଦେବାରେ ମାନସିକତା ନାହିଁ। ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ମିଛ ଡ୍ରାମା କରୁଛନ୍ତି ବିରୋଧୀ। ନବୀନ ଫାଉଣ୍ଡେସନ କଥା ଲୁଚାଇବା ପାଇଁ ମିଛ ସୁଆଙ୍ଗ କରୁଛନ୍ତି ବିରୋଧୀ'। ଆଜି ମୁଲତବି ପ୍ରସ୍ତାବରେ ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ରଖିଥାନ୍ତେ। SCB ଘଟଣାରେ ୪ ଜଣଙ୍କୁ ନିଲମ୍ବନ କରାଯାଇଛି। ମୃତକଙ୍କ ପାଇଁ ସରକାରଙ୍କର ଯଥେଷ୍ଟ ସମବେଦନା ଅଛି। ହେଲେ ବିରୋଧୀ ମିଛ ଡ୍ରାମା କରି ଗୃହ ଚଳେଇ ଦେଉନାହାନ୍ତି ବୋଲି କହିଛନ୍ତି ବିଧାୟକ ଇରାଶିଷ ଆଚାର୍ଯ୍ୟ।