ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି କି ନାହିଁ ଏବେ ରାଜ୍ୟ ରାଜନୀତିରେ ଆଉ ପ୍ରସଙ୍ଗ ବେଶ ଚର୍ଚ୍ଚାକୁ ଆସିଛି ଗୋପନୀୟତା ଭାବେ ଗଠନ ହୋଇଥିବା ବିଜୁ-ନବୀନ ଇନସ୍ପେରେସନାଲ୍ ଫାଉଣ୍ଡେସନ୍ । ଟ୍ରଷ୍ଟ ବାବଦରେ ଧାଡ଼ିକିଆ ଉତ୍ତର ନ ଦେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରନ୍ତୁ ବୋଲି ବିଜେପି ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଦାବି କରିଛନ୍ତି ।
ନବୀନ ପଟ୍ଟନାୟକ ନିଜ ବିଧାୟକଙ୍କ ମୁହଁକୁ କଳା ପକାଇ ଦେଇଛନ୍ତି । ବିଜୁ ବାବୁଙ୍କ ଆନନ୍ଦ ଭବନକୁ ନବୀନ ଦାନ କରିଦେଇଛନ୍ତି । ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ । ସେହିପରି ଅନ୍ୟ ସ୍ଥାନରେ ଥିବା ସମ୍ପତ୍ତିକୁ ଓଡ଼ିଶାବାସୀଙ୍କୁ ଜଣାନ୍ତୁ, ଯାହାକି ଲୋକଙ୍କ କାମରେ ଆସିବ । ଆନନ୍ଦ ଭବନ ଦାନ କଲାବେଳେ ଡେଙ୍ଗୁରା ବାଡ଼େଇ ସାରା ଓଡ଼ିଶାବାସୀଙ୍କୁ ଜଣାଇଲେ । କିନ୍ତୁ କାହିଁକି ନ ଜଣାଇ ଏହି ଟ୍ରଷ୍ଟ ଗଠନ କରାଗଲା ? ପ୍ରଶ୍ନ କରିଛନ୍ତି ବାବୁ ସିଂ ।
ସେହିପରି ଏହି ଟ୍ରଷ୍ଟର ଆଜୀବନ ସଦସ୍ୟ ହେଉଛନ୍ତି ଭିକେ ପାଣ୍ଡିଆନ । ଯାହାକୁ ବିଜେଡ଼ିରୁ ସନ୍ନ୍ୟାସ ଦେଇଛନ୍ତି । ସେହିପରି ବିଜେଡ଼ିରେ ଏତେ ପୁରୁଣା କାର୍ଯ୍ୟକର୍ତ୍ତା ଥିବାବେଳେ ସଂତୃପ୍ତ ମିଶ୍ରଙ୍କୁ ଆଜୀବନ ସଦସ୍ୟ କରାଯାଇଛି । ସେହିପରି ଆଉ ଜଣଙ୍କ କାରନାମା କାହାକୁ ଅଛପା ନାହିଁ, ସିଏ ଆଜୀବନ ସଦସ୍ୟ । କାହିଁକି ଦଳୀୟ ବ୍ୟକ୍ତିଙ୍କୁ ସଦସ୍ୟ କରାଗଲା ନାହିଁ ? ନବୀନ ବାବୁ ଧାଡ଼ିକିଆ ଉତ୍ତର ଦେଇଛନ୍ତି । ତେଣୁ ଓଡ଼ିଶାବାସୀଙ୍କ ଆଗରେ ସମ୍ପୂର୍ଣ୍ଣ ବିବରଣୀ ଦିଅନ୍ତୁ । ଏ ଟ୍ରଷ୍ଟ କାହିଁକି ତିଆରି ହୋଇଛି, କେଉଁଠୁ ପାଣ୍ଠି ଆସୁଛି, କେତେ ଚାନ୍ଦା ଆସୁଛି ତାହା ନବୀନ ବାବୁ ସ୍ପଷ୍ଟ କରନ୍ତୁ । ନବୀନ କେବଳ ନବୀନ ନୁହଁନ୍ତି, ସିଏ ପୂର୍ବତନ କେନ୍ଦ୍ରମନ୍ତ୍ରୀ, 24 ବର୍ଷର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା । ଓଡ଼ିଶାବାସୀଙ୍କୁ ଆଉ ଅନ୍ଧାରରେ ନ ରଖି ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ବିଧାୟକ ବାବୁ ସିଂ ଦାବି କରିଛନ୍ତି ।