ନୂଆଦିଲ୍ଲୀ: ଚଳିତ ବର୍ଷ ପଶ୍ଚିମବଙ୍ଗ ନିର୍ବାଚନରେ ଅନେକ କିଛି ଦେଖିବାକୁ ମିଳିପାରେ । କାରଣ ଯେଉଁ ପରିବାର ଟିଏମସି ସରକାରରେ ନିର୍ଯ୍ୟାତିତ ହେଲେ ସେହି ପରିବାର ନିର୍ବାଚନ ଲଢ଼ିବାକୁ ଯାଉଛି । ସାରା ଦେଶକୁ ଦୋହଲାଇ ଦେଇଥିବା ଆରଜି କର ହସ୍ପିଟାଲର ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି । ପୀଡ଼ିତାଙ୍କ ମାଆ ୧୧୧ ନମ୍ବର ପାନିହାଟୀ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି । ସେ ବିଜେପିରୁ ଟିକେଟ୍ ପାଇ ଲଢ଼ିପାରନ୍ତି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ପୀଡ଼ିତାଙ୍କ ମା ଗୁରୁବାର ଗଣମାଧ୍ୟମ ସହିତ ବାର୍ତ୍ତାଳାପ କରି ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ବିଜେପି ତାଙ୍କ ସହିତ ନିର୍ବାଚନ ଲଢ଼ିବା ବାବଦରେ ଆଲୋଚନା କରିଛି । ବିଜେପି ପାନୀହାଟୀ ବିଧାନସଭା ଆସନରୁ ଟିକେଟ୍ ଦେଇପାରେ । ଏହା ଗୋଟିଏ ମିନିଟରେ ନିଆଯାଇଥିବା ନିଷ୍ପତ୍ତି ନୁହେଁ । ବହୁତ ପୂର୍ବରୁ ଦଳ ସହିତ ତାଙ୍କର ଆଲୋଚନା ଜାରି ରହିଛି । କିନ୍ତୁ ସେତେବେଳେ ସେ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିଲେ । କିନ୍ତୁ ପଶ୍ଚିମବଙ୍ଗରେ ସବୁଆଡ଼େ ଦୁର୍ନୀତି ଭରି ଗଲାଣି । ମହିଳାଙ୍କ ସୁରକ୍ଷା ଏବଂ ଟିଏମସିକୁ ଶାସନ ଗାଦିରେ ହଟାଇବାକୁ ସେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି । ତେବେ ତାଙ୍କ ଅନେକ ଦଳ ପ୍ରସ୍ତାବ ଦେଇଥିବାବେଳେ ସେ ବିଜେପିକୁ ବାଛିଛନ୍ତି ।
ସେହିପରି ସିବିଆଇ ତଦନ୍ତରେ ସେ ଖୁସି ନ ଥିବା କହିଛନ୍ତି । ତାଙ୍କ ଝିଅ ଯେମିତି ହୋଇଛି ଅନ୍ୟ କାହା ଝିଅ ସହ ସେମିତି ନ ହେଉ ବୋଲି ଆଶା କରିଛନ୍ତି ।
କିଛି ଦିନ ତଳେ ବିଜେପି ନେତା ଅର୍ଜୁନ ସିଂହ ପୀଡ଼ିତାଙ୍କ ପରିବାର ସହିତ ସାକ୍ଷାତ ଆଲୋଚନା କରିଥିଲେ । ସେ ଅଭିଯୋଗ କରିଛନ୍ତି ସିପିଆଇଏମ୍ ଦଳ ଶାସନରେ ରହିବାକୁ ଟିଏମସିକୁ ସମର୍ଥନ କରୁଛି ।
ପାର୍ଟି ୧୧୧ ଜଣ ପ୍ରାର୍ଥୀଙ୍କ ନାଁରେ ମୋହର ମାରିଛି। ଏହା ସହ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ୨୫୫ କୁ ବୃଦ୍ଧି ପାଇଛି। ପ୍ରଥମ ତାଲିକାରେ ଦଳ ୧୪୪ ଜଣ ପ୍ରାର୍ଥୀ ଦେଇ ଥିଲା।ଦ୍ଵିତୀୟ ତାଲିକାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନୀତିଶ ପ୍ରମାଣିକଙ୍କୁ ମାଠଭାଙ୍ଗାରୁ ଟିକେଟ୍ ମିଳିଛି। ଲୋକପ୍ରିୟ ଧାରାବାହିକ ମହାଭାରତରେ ଦ୍ରୌପଦୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ରୂପା ଗାଙ୍ଗୁଲିଙ୍କୁ ସୋନାରପୁର ଦକ୍ଷିଣରୁ ପ୍ରାର୍ଥୀ କରିଛି ଦଳ। ଅର୍ଜୁନ ସିଂହଙ୍କୁ ନୋଆପାରାରୁ ମଇଦାନକୁ ଓହ୍ଲାଇଛି ବିଜେପି।
ଉଲ୍ଲେଖ ଯୋଗ୍ୟ, 9 ଅଗଷ୍ଟ 2024ରେ ଆର ଜି କର ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଯାହା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ଟିଏମସି କର୍ମକର୍ତ୍ତାଙ୍କ ଆନ୍ଦୋଳନରେ କ୍ରାଇମ ସ୍ପଷ୍ଟର ଚିହ୍ନବର୍ଣ୍ଣ ନ ଥିଲା । ମେଡ଼ିକାଲରେ ବ୍ୟାପକ ଭଙ୍ଗାରୁଜା କରାଯାଇଥିଲା । ଦୋଷୀଙ୍କୁ ଖସାଇ ଦେବାକୁ ଏହା ଟିଏମସିର ଷଡ଼ଯନ୍ତ୍ର ଥିଲା ବୋଲି ବିଜେପି ଅଭିଯୋଗ କରିଥିଲା । ତେବେ ଏହି ମାମଲାକୁ ବହୁ ବିଳମ୍ବରେ ମମତା ସରକାର ସିବିଆଇକୁ ହସ୍ତାନ୍ତର କରିଥିଲେ ।