ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ହେଲାଣି ତାତି। ତାତିରେ ହନ୍ତସନ୍ତ ରାଜ୍ୟବାସୀ। ୨୦ ଦିନ ପୂର୍ବରୁ ଯେଉଁ ପଶ୍ଚିମଓଡ଼ିଶା ଜାଡରେ ଥରୁଥିଲା ତାହା ଏବେ ଗରମରେ ଆଉଟୁପାଉଟୁ ହେଲାଣି। ପ୍ରଥମଥର ପାଇଁ ପଶ୍ଚିମଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିଛି। ଆସନ୍ତାକାଲି ଠାରୁ ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ମାସ ଶେଷ ସୁଦ୍ଧା ଗ୍ରୀଷ୍ମର କରାଳ ରୂପ ରାଜ୍ୟବାସୀ ଦେଖିବେ ବୋଲି ଅନୁମାନ କରାଯାଉଛି।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ୱର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ଅତିକ୍ରମ କରି ଗରମ ତାଲିକାରେ ସାମିଲ ହୋଇଛି, ଯାହା ଗ୍ରୀଷ୍ମ ପରି ପରିସ୍ଥିତିର ଆଗମନକୁ ସ୍ପଷ୍ଟ କରିଥାଏ। ତେବେ ଆଞ୍ଚଳିକ ପାଣିପାଗ ବିଶେଷଣଜ୍ଞ ମନୋରମା ମହାନ୍ତି କହିଛନ୍ତି ଯେ ପ୍ରଚଳିତ ପାଗ ଢାଞ୍ଚା ଯୋଗୁଁ ଦିନର ତାପମାତ୍ରା ବୃଦ୍ଧି ପାଇଛି। ଏହାସହିତ ଆରଏମସି ପୂର୍ବାନୁମାନ ସୂଚାଇ ଦେଇଛି ଯେ ତୁରନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିବ ନାହିଁ, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗ୍ରୀଷ୍ମ ଋତୁର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ହେବାର ପୂର୍ବାନୁମାନ କରାଯାଉଛି।
ଖରାଦିନେ ଅଧିକାଂଶ ଲୋକେ ଅଂଶୁଘାତର ଶିକାର ହୁଅନ୍ତି। ତେଣୁ ଅଂଶୁଘାତର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଖରାଦିନେ କିପରି ବିଦ୍ୟୁତ ସେବା ବ୍ୟାହାତ ନ ହୁଏ ସେଥିପାଇଁ ଧ୍ୟାନ ଦିଆଯାଉଛି। ରାଜ୍ୟର ୩୦ଟି ଜିଲ୍ଲା, ଟ୍ୱିନ୍ ସିଟି, ୧୦ ପୌରାଞ୍ଚଳ ପାଇଁ ହିଟୱେଭ ଆକ୍ସନ ପ୍ଲାନ ହୋଇଛି। ଆଉ ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ। ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି।
ଅଧିକ ପଢନ୍ତୁ ; ଆଗାମୀ ୫ ଦିନ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା; ୧୦ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କତା