ନୂଆଦିଲ୍ଲୀ: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିର ଖବର । କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସମସ୍ତ ରାସନକାର୍ଡ ହିତାଧିକାରୀଙ୍କୁ ଏପ୍ରିଲ ମାସରେ ତିନି ଗୁଣ ଚାଉଳ-ଗହମ ଦେବାକୁ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଖାଦ୍ୟ ଏବଂ ସାର୍ବଜନୀନ ବିତରଣ ବିଭାଗ ଏହାର ଘୋଷଣା କରିଛି । ଏପ୍ରିଲ ମାସରେ ସମସ୍ତ ହିତାଧିକରୀଙ୍କୁ ତିନି ମାସର(ଏପ୍ରିଲ, ମେ ଓ ଜୁନ)ର ରାସନ ଏକ ସଙ୍ଗେ ମିଳିବ । ଲାଭାର୍ଥୀ ନିଜର ନିକଟସ୍ଥ ରାସନ ଦୋକାନରୁ ନିର୍ଦ୍ଧାରିତ ସମୟରେ ରାସନ ପାଇ ପାରିବେ ।
ତାଲିକାରୁ ହଟାଯାଇଛି ୪୧.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ
ଏହା ପୂର୍ବରୁ ସରକାର ମଙ୍ଗଳବାର ସଂସଦରେ ଜଣାଇଥିଲେ ଯେ, ୨୦୨୫ରେ ୪୧.୪୧ ଲକ୍ଷ ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ତାଲିକାରୁ ହଟାଯାଇଛି । ରାଜ୍ୟସଭାରେ ଖାଦ୍ୟ ରାଷ୍ଟ୍ର ମନ୍ତ୍ରୀ ନିମୁବେନ ଜୟନ୍ତିଭାଇ ବମ୍ଭାନିଆ କହିଛନ୍ତି ଯେ, ହରିୟାଣାରେ ସର୍ବାଧିକ ୧୩.୪୩ ଲକ୍ଷ ରାସନକାର୍ଡ, ରାଜସ୍ଥାନରେ ୬.୦୫ ଲକ୍ଷ, ଉତ୍ତର ପ୍ରଦେଶରେ ୫.୯୭ ଲକ୍ଷ, ପଶ୍ଚିମବଙ୍ଗରେ ୩.୭୪ ଲକ୍ଷ ଏବଂ ମଧ୍ୟପ୍ରଦେଶରେ ୨.୬୦ ଲକ୍ଷ ଅଯୋଗ୍ୟ ରାସନକାର୍ଡ ହଟାଇ ଦିଆଯାଇଛି ।
ସେହିପରି ୨୦୨୪ରେ ୪୮.୮୫ ଲକ୍ଷ ଓ ୨୦୨୩ରେ ୪୧.୯୯ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ରାସନ ତାଲିକାରୁ ହଟାଯାଇଛି । ବମ୍ଭାନିଆ କହିଛନ୍ତି, ପିଡିଏସରେ ଚାଲିଥିବା ସୁଧାର ଆଧାରରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ରାସନକାର୍ଡ ଓ ହିତାଧିକାରୀଙ୍କ ତଥ୍ୟକୁ ସଂପୂର୍ଣ୍ଣ ଭାବେ ଡିଜିଟାଲୀକରଣ କରାଯାଇଛି । ଯେଉଁ ପରିମାଣରେ ଅଯୋଗ୍ୟଙ୍କୁ ତାଲିକାରୁ ହଟାଯାଇଛି ସେହି ଅନୁପାତରେ ଯୋଗ୍ୟ ହିତାଧିକାରୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ରାସନ ଯୋଗାଇ ଦିଆଯିବ ।
Also read: ମନ୍ତ୍ରୀଠାରୁ ସଚିବ ପର୍ଯ୍ୟନ୍ତ ବଢ଼ିଲା ଖର୍ଚ୍ଚ ଅନୁମୋଦନ କ୍ଷମତା; ନୂଆ ଆର୍ଥିକ କ୍ଷମତା ନିୟମ ଲାଗୁ,୧୦୦ କୋଟି ପର୍ଯ୍ୟନ୍ତ ଖର୍ଚ୍ଚକୁ ମଞ୍ଜୁରୀ