ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର କଡ଼ା ଆକ୍ସନ ନେଇଛନ୍ତି। ରାଜ୍ୟର୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ ନ ଥିବାରୁ ରାଜ୍ୟସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ୭ଟି ଶିଳ୍ପାନୁଷ୍ଠାନ ଜମି ଆବଣ୍ଟନ ରଦ୍ଦ ହୋଇଛି, ୫ଟି ମାମଲା କୋର୍ଟରେ ବିଚାରାଧୀନ ରହିଥିବାବେଳେ ବନ୍ଦ ଥିବା ୯୧୪ ସଂସ୍ଥାରୁ ଇଡ୍କୋ ନିୟମ ଅନୁଯାୟୀ ୬୬୫ଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେଥିମଧ୍ୟରୁ ୨୬୭ଟି ଶିଳ୍ପ ସଂସ୍ଥାର ଜମି ଆବଣ୍ଟନ ରଦ୍ଦ କରାଯାଇଛି।
ଆବଣ୍ଟନ ରଦ୍ଦ ମଧ୍ୟରୁ ୮୧ଟି ଶିଳ୍ପ ସଂସ୍ଥା ବିରୋଧରେ ଇୟୁଓ ମାମଲା ରହିଛି। ଆଜି ଏନେଇ (ଶୁକ୍ରବାର) ବିଧାନସଭାରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଏହି ଉତ୍ତର ରଖିଛନ୍ତି। ବିଧାୟକ ଚକ୍ରମଣି କହଁର ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଜମି ଯୋଗାଉଛନ୍ତି, ହେଲେ କମ୍ପାନୀ ଦେବାଳିଆ ହେଲେ କିମ୍ବା ଅନ୍ୟ କାରଣରୁ ବାଣ୍ଡ ହୋଇଗଲେ ଜମି ଆଉ ସରକାରଙ୍କୁ ଫେରୁନାହାନ୍ତି, କେତେ ଜମି ଓଡ଼ିଶାରେ ଏମିତି ଅଛି ବୋଲି ବିଧାୟକ ଚକ୍ରମଣି ମନ୍ତ୍ରୀଙ୍କୁ ପଚାରିଥିଲେ। ମନ୍ତ୍ରୀ ତାଙ୍କ ଉତ୍ତରରେ ଉପରୋକ୍ତ ତଥ୍ୟ ରଖିଛନ୍ତି।