ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ହଜାର ହଜାର ପିଲା ପରୀକ୍ଷା ଦେଇନାହାନ୍ତି। ଚଳିତ ବର୍ଷ ମୋଟ ୫ ଲକ୍ଷ ୪୬ହଜାର ୮୭୬ ଛାତ୍ରଛାତ୍ରୀ ଫର୍ମ ଫିଲ୍ ଅପ୍ କରିଥିଲେ। ହେଲେ ସେଥିରୁ ୫ ଲକ୍ଷ ୩୬ ହଜାର ୯୪୬ ପିଲା ପରୀକ୍ଷା ଦେଇଛନ୍ତି। ୧.୮୧ ପ୍ରତିଶତ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଗୃହରେ ତଥ୍ୟ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ବିଧାୟିକା ଉପାସନା ମହାନ୍ତିଙ୍କ ପ୍ରଶ୍ନରେ ଆଜି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତେବେ କାହିଁକି ଏତେ ପିଲା ପରୀକ୍ଷା ଦେଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗୃହରେ ତଥ୍ୟ ଦେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ରାଜ୍ୟର ୧୯,୮୮୩ଟି ସ୍କୁଲରେ ଡେସ୍କ ଓ ବେଞ୍ଚ୍ ନାହିଁ। ଏହାର ପରିଣାମରେ ପିଲାମାନେ ବାଧ୍ୟ ହୋଇ ଦରି କିମ୍ବା ମାଟିରେ ବସି ପଢ଼ୁଛନ୍ତି। ଯଦିଓ ମନ୍ତ୍ରୀ କହିଛନ୍ତି ଯେ ଏହି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି, କିନ୍ତୁ ପ୍ରଶ୍ନ ଉଠୁଛି ଏତେ ବର୍ଷ ପରେ ମଧ୍ୟ କାହିଁକି ଏହି ଅବସ୍ଥା? ଯେଉଁଠାରେ ପିଲାମାନେ ତଳେ ବସି ପଢୁଛନ୍ତି, ସେଠାରେ ଶିକ୍ଷାର ଗୁଣତା କେମିତି ଉନ୍ନତ ହେବ ତାକୁ ନେଇ ଚର୍ଚ୍ଚ ଆରମ୍ଭ ହୋଇଛି?