ଭୁବନେଶ୍ୱର: ନିଶାଦ୍ରବ୍ୟ ବିରୋଧରେ ଓଡ଼ିଶା ପୋଲିସ ଐତିହାସିକ ସଫଳତା ହାସଲ କରିଛି । ବର୍ଷକ ମଧ୍ୟରେ ବିଭିନ୍ନ ନିଶାଦ୍ରବ୍ୟ କାରବାରରେ ୬୫୪ ଜଣ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ ହୋଇଥିବାବେଳେ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଶାମୁକ୍ତ ଭାରତ ଆହ୍ଵାନ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ୧୫ ସୂତ୍ରୀ ମାର୍ଗଦର୍ଶୀକାକୁ ଆଧାର କରି ସାରା ଦେଶରେ ନିଶା ବିରୋଧୀ ଅଭିଯାନ ଜାରି ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଳିଷ୍ଠ ନେତୃତ୍ଵରେ ଓଡ଼ିଶା ପୋଲିସ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଐତିହାସିକ ସଫଳତା ହାସଲ କରିଛି। ଏହି ପରିପ୍ରେକ୍ଷୀରେ ୦୧ ଜାନୁୟାରୀ ୨୦୨୫ ଠାରୁ ୨୮ ଫେବୃୟାରୀ ୨୦୨୬ ପର୍ୟ୍ୟନ୍ତ ପୋଲିସ ପକ୍ଷରୁ ନିଶାଦ୍ରବ୍ୟ ବିରୋଧୀ ଅଭିଯାନ ଜାରି ରହିଥିଲା । ଏହି ସମୟସୀମାରେ ପ୍ରାୟ ୧,୪୪୪ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷକୁ ଧ୍ଵଂସ କରାଯିବା ସହିତ, ୧,୩୪୬ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ, ୨୦୦ କୋଟି ଟଙ୍କା ମୂଲ୍ୟର ୧,୮୬୨ ଲିଟର ଗଞ୍ଜେଇ ତେଲ, ୪୧.୭ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଏବଂ ୧୦.୧୭ କୋଟି ଟଙ୍କା ମୂଲ୍ୟର କଫ ସିରପ ଜବତ କରାଯାଇଛି। ଏହା ସହିତ, ୬୫୪ ଜଣ ଆନ୍ତଃରାଜ୍ୟ ନିଶା ବେପାରୀଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ପୋଲିସର ସୁନିୟୋଜିତ ଓ ସ୍ଵତନ୍ତ୍ର ରଣନୀତିର ଫଳସ୍ୱରୂପ ରାଜ୍ୟରେ ନିଶା ମାଫିଆ ନେଟୱର୍କକୁ ଧ୍ୱଂସ କରାଯାଇଛି ବୋଲି ଭୁବନେଶ୍ୱରସ୍ଥିତ ପୋଲିସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି ।
ଆସନ୍ତା ୧ ଏପ୍ରିଲ ଠାରୁ ପୁଣି ଥରେ ନିଶାଦ୍ରବ୍ୟ ବିରୋଧରେ ଏକ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯିବ। ଆଗାମୀ ୩ ବର୍ଷ ମଧ୍ୟରେ ରାଜ୍ୟରୁ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ହେଉଛି ଲକ୍ଷ୍ୟ ବୋଲି ଡିଜିପି କହିଛନ୍ତି ।
ପୋଲିସର ଦୃଢ କାର୍ୟ୍ୟାନୁଷ୍ଠାନ ଯୋଗୁଁ ଯେଉଁ ନକ୍ସଲ ଗୋଷ୍ଠୀ ଏକଦା ୧୨ଟି ଜିଲ୍ଲାରେ ସକ୍ରିୟ ଥିଲେ, ସେମାନେ ଏବେ ମାତ୍ର ୨-୩ ଟି ଜିଲ୍ଲାରେ ସୀମିତ ଅଛନ୍ତି । ଗଜପତି, ରାୟଗଡ଼ା ଓ କୋରାପୁଟ ଭଳି ଜିଲ୍ଲାରେ ଗଞ୍ଜେଇ ଚାଷ ୫୦ % ହ୍ରାସ ପାଇଛି।
୨୦୨୫ ମସିହାରେ ୬୭୦ ମାମଲା ରୁଜୁ କରାଯାଇ ୭ ଜଣଙ୍କୁ ଗିରଫ କରାଯିବା ସହ ୨୯,୪୯୩ ଏକର ନଷ୍ଟ ଏବଂ ୨୦୨୬, ଫେବୃୟାରୀ ୨୮ ତାରିଖ ମଧ୍ୟରେ ୩୫୭ ମାମଲା ରୁଜୁ କରାଯାଇ ୨୮ ଜଣଙ୍କୁ ଗିରଫ କରାଯିବା ସହ ୧୮,୬୬୭ ଏକର ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି ।
ସେହିପରି ସାରା ରାଜ୍ୟରେ ୨,୬୯,୧୬୬ କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର ବଜାର ମୂଲ୍ୟ ୧୩୪୬ କୋଟି ଟଙ୍କାରୁ ଅଧିକ ହେବ । ୨୦୨୫ ମସିହାରେ ୧୩୮୯ ଟି ମାମଲା ରୁଜୁ କରାଯାଇ ୧୯୯୧ ଜଣଙ୍କୁ ଗିରଫ କରାଯିବା ସହ ୧,୯୫,୧୩୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ୨୦୨୬ ମସିହା ଫେବୃୟାରୀ ୨୮ ତାରିଖ ମଧ୍ୟରେ ୨୧୭ ମାମଲା ରୁଜୁ କରାଯାଇ ୩୪୩ ଜଣଙ୍କୁ ଗିରଫ କରାଯିବା ସହ ୭୪,୦୩୬ କେଜି ଗଞ୍ଜେଇ ଜବତ କରାଯାଇଛି ।
୦୧.୦୧.୨୦୨୫ ରୁ ୨୮.୦୨.୨୦୨୬ ମଧ୍ୟରେ
- ୧,୪୪୪ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ,
- ୧୩୪୬ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ
- ୪୧.୭ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଓ ୧୦.୧୭ କୋଟି ଟଙ୍କା ମୂଲ୍ୟର କଫ ସିରପ ଜବତ,
- ୨୦୦ କୋଟି ଟଙ୍କା ମୂଲ୍ୟର ୧୮୬୨ ଲିଟର ଗଞ୍ଜେଇ ତେଲ ଜବତ,
- ୬୫୪ ଜଣ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ
ଏତଦବ୍ୟତୀତ ବ୍ରାଉନ ସୁଗାର କାରବାରକୁ ରୋକିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଚଢଉ କରାଯାଇଥିଲା। ଏହି ସମୟ ସୀମା ମଧ୍ୟରେ ୨୦ କେଜି ୬୯୦ ଗ୍ରାମ ବ୍ରାଉନ ସୁଗାର (ଯାହାର ଆନୁମାନିକ ମୂଲ୍ୟ ୪୧.୭ କୋଟିରୁ ଅଧିକ) ଜବତ କରାଯାଇଛି। ମୋଟ ୪୪୫ ଟି ମାମଲା ରୁଜୁ କରାଯାଇ ୯୧୦ ଜଣଙ୍କୁ ଗିରଫ କରାଯାଇଛି। ୨୦୨୫ ମସିହାରେ ୩୫୨ ଟି ମାମଲା ରୁଜୁ କରାଯାଇ ୭୧୯ ଜଣଙ୍କୁ ଗିରଫ କରିବା ସହ ୧୮ କେଜି ବ୍ରାଉନ ସୁଗାର ଜବତ କରାଯାଇଥିଲା । ୨୦୨୬ ମସିହା ଫେବୃୟାରୀ ୨୮ ତାରିଖ ମଧ୍ୟରେ ୯୩ଟି ମାମଲା ରୁଜୁ କରାଯାଇ ୧୯୧ ଜଣଙ୍କୁ ଗିରଫ କରାଯିବା ସହ ୨ କେଜି ୬୯୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି ।
ସେହିପରି କଫ୍ ସିରପ୍ କାରବାର ରୋକିବା ପାଇଁ ପୋଲିସ ବିଭିନ୍ନ ସମୟରେ ଚଢଉ କରିଥିଲା । ୧,୦୧,୭୫୫ ବୋତଲ କଫ ସିରପ ଜବତ କରିବା ସହ ୨୩୬ ଜଣଙ୍କୁ ଗିରଫ କରିଛି। ୨୦୨୫ ମସିହାରେ ୬୯ ଟି ମାମଲା ରୁଜୁ କରାଯାଇ ୨୦୩ ଜଣଙ୍କୁ ଗିରଫ କରିବା ସହ ୭୮,୯୬୯ ବୋତଲ କଫ ସିରପ ଜବତ କରାଯାଇଥିଲା । ୨୦୨୬ ମସିହା ଫେବୃୟାରୀ ୨୮ ତାରିଖ ମଧ୍ୟରେ ୧୦ ଟି ମାମଲା ରୁଜୁ କରାଯାଇ ୩୩ ଜଣଙ୍କୁ ଗିରଫ କରାଯିବା ସହ ୨୨,୭୮୬ ବୋତଲ କଫ ସିରପ ଜବତ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ କୋରାପୁଟ ଜିଲ୍ଲା ପୋଲିସ ଗଞ୍ଜେଇ ତେଲ (ଐବଗ୍ଦଷସଗ୍ଦଷ ଙସକ୍ଷ)ର ପ୍ରସ୍ତୁତିକରଣର ଏକ ୟୁନିଟ୍ ଉପରେ ଚଢଉ କରି ୧୮୦୦ ଲିଟରରୁ ଉର୍ଦ୍ଧ ଗଞ୍ଜେଇ ତେଲ ଜବତ କରିଥିଲା । ଯାହାର ବଜାର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା ହେବ ଓ ୧୦୦୦ କିଗ୍ରାରୁ ଉର୍ଦ୍ଧ ଗଞ୍ଜେଇ (ମୂଲ୍ୟ ପ୍ରାୟ ୫ କୋଟି) କୁ ଜବତ କରାଯାଇଥିଲା । ଉକ୍ତ ୟୁନିଟ୍ କୁ ଧ୍ୱଂସ କରାଯିବା ସହ କେରଳ ରାଜ୍ୟର ୪ ଜଣ ଅପରାଧୀଙ୍କ ସହ ଓଡ଼ିଶାର ୩ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିଲା । ସେହିପରି ୨୦୨୫ ମସିହାରେ ୬୦ ଲିଟର ଗଞ୍ଜେଇ ତେଲ ଜବତ କରିବା ସହ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।
ସେହିପରି ନିଶାଦ୍ରବ୍ୟ ନଷ୍ଟ କରିବାରେ ପୋଲିସ ଦୃଢ ପଦକ୍ଷେପ ଗ୍ରହଣ କରିଛି। ବିଗତ ୨ ବର୍ଷ ମଧ୍ୟରେ ୬୩୪ ମାମଲାରେ ଜବତ ହୋଇଥିବା ୬୭ ଟନ ଗଞ୍ଜେଇକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି। ସେହିପରି ୩ଟି ମାମଲାରେ ଜବତ ହୋଇଥିବା ୧,୦୧୬ ଗ୍ରାମ ଅଧିକ ବ୍ରାଉନ ସୁଗାର ନଷ୍ଟ କରାଯାଇଛି। ସେପ୍ଟେମ୍ବର ୨୦୨୫ରେ ଓଡ଼ିଶା ପୋଲିସ ପକ୍ଷରୁ ପରିଚାଳିତ ସ୍ୱତନ୍ତ୍ର ଅଭିଯାନ \"ପ୍ରହାର\" ଅଧୀନରେ ୩୩୯ ଟି ମାମଲା ରୁଜୁ କରାଯାଇ ୪୮୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ ୧୨,୭୩୬ କେଜି ଗଞ୍ଜେଇ, ୨,୧୮୫ ଗ୍ରାମ ବ୍ରାଉନ ସୁଗାର ଏବଂ ୫,୪୬୮ ବୋତଲ କଫ ସିରପ ଜବତ କରାଯାଇଛି।
ଏଥିସହିତ ନିଶା ବେପାରୀଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବା ପାଇଁ ୧୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ବ୍ୟାଜ୍ୟାପ୍ତି କରାଯାଇଛି। ଏସଟିଏଫ୍ ଦ୍ୱାରା ପ୍ରଶିକ୍ଷିତ କ-୯ ସ୍ନାଇଫର ଶ୍ଵାନଙ୍କ ସହାୟତାରେ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଗୁଡ଼ିକରେ କଡ଼ା ନଜର ରଖାଯାଇଛି।