ନବରଙ୍ଗପୁର: ବିକାଶର ବଡ଼ ବଡ଼ ଦାବି ମଧ୍ୟରେ ଆଜିବି କିଛି ଗାଁ ରହିଛି, ଯେଉଁଠି ରାସ୍ତା ସୁବିଧା ନଥିବାରୁ ଆମ୍ବୁଲାନ୍ସ ଆସିପାରୁନି। ନବରଙ୍ଗପୁର ଜିଲ୍ଲା ତେନ୍ତୁଲିଖୁଣ୍ଟି ବ୍ଲକର ବାରାଦୟୋଡି ଗାଁରୁ ଏଭଳି ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି। ଯେଉଁଠି ଗାଁରେ ଜଣେ ଗର୍ଭବତୀ ମହିଳାଙ୍କୁ ରାସ୍ତା ନଥିବାରୁ ଖଟିଆରେ ବୋହି ନେଇ ହସ୍ପିଟାଲ୍କୁ ପହଞ୍ଚାଇବାକୁ ପଡ଼ିଛି।
ଘଟଣା ମୁତାବିକ, ଗୁରୁବାର ସକାଳେ ୨୬ ବର୍ଷୀୟ ପାନ ଜାନିଙ୍କ ପ୍ରସବ ଯନ୍ତ୍ରଣା ଅନୁଭବ ହୋଇଥିଲା। ତାଙ୍କ ପରିବାର ୧୦୮ ଆମ୍ବୁଲାନ୍ସ ସେବାକୁ ଫୋନ୍ କରିଥିଲେ, କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଗାଡ଼ିଟି ବରାଦୟୋଡିରେ ପହଞ୍ଚି ପାରିଲା ନାହିଁ। ଆମ୍ବୁଲାନ୍ସ ନିକଟସ୍ଥ ସିନ୍ଧିଗୁଡ଼ା ଗାଁରେ ଅପେକ୍ଷା କରିଥିଲା। ଅନ୍ୟ କୌଣସି ବିକଳ୍ପ ନ ଥିବାରୁ, ଗାଁ ଲୋକେ ତାଙ୍କୁ ଆମ୍ବୁଲାନ୍ସକୁ ସ୍ଥାନାନ୍ତର କରିବା ପୂର୍ବରୁ ତିନି କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହି ନେବାରେ ସାହାଯ୍ୟ କରିଥିଲେ। ତା’ପରେ ତାଙ୍କୁ ତେନ୍ତୁଲିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।
ବାରାଦୟୋଡି ଗାଁରେ ଆଜିପର୍ଯ୍ୟନ୍ତ ମୌଳିକ ସୁବିଧା ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍ ବ୍ୟବସ୍ତା ସଠିକ୍ ଭାବେ ଉପଲବ୍ଧ ନାହିଁ। ଏହାକୁ ନେଇ ଗ୍ରାମବାସୀମାନେ ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ମଧ୍ୟ କରିଥିଲେ। ଏନେଇ ପ୍ରଶାସନକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ କୌଣସି ସ୍ଥାୟୀ ସମାଧାନ ମିଳିନାହିଁ। ଶେଷରେ ନିରାଶ ହୋଇ ଗ୍ରାମବାସୀ ରାସନ୍ କାର୍ଡ ମଧ୍ୟ ଫେରାଇ ଦେଇଛନ୍ତି ଏବଂ ଉନ୍ନତ ସୁବିଧା ପାଇଁ ପଡ଼ୋଶୀ ଜିଲ୍ଲାରେ ଯୋଡ଼ାଯିବାକୁ ଦାବି କରୁଛନ୍ତି।
ତେବେ ପ୍ରଶ୍ନ ଉଠୁଛି ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ କାହିଁକି ଏମିତି ଦୁର୍ଦ୍ଦଶା? ଗର୍ଭବତୀ ମହିଳାଙ୍କୁ ଆଜିବି ଖଟିଆରେ ବୋହିବାକୁ ପଡ଼ୁଛି କାହିଁକି? କାରଣ ଏହି ଘଟଣା ପୁଣିଥରେ ଶାସନ ବ୍ୟବସ୍ଥା ଓ ଗ୍ରାମୀଣ ବିକାଶର ଅସଳ ଚିତ୍ରକୁ ସାମ୍ନାକୁ ଆଣିଛି।